ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା, ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟ

add-all

ପୁରୀ : ଆଉ ମାତ୍ର ଗୋଟିଏ ଦିନ ପରେ ପବିତ୍ର ଅକ୍ଷୟ ତୃତୀୟା। ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବା ସହ ୨୧ ଦିନ ବ୍ଯାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ।ଏଥିପାଇଁ ସଜେଇ ହୋଇଛି ନରେନ୍ଦ୍ର ପୁଷ୍କରିଣୀ। ନନ୍ଦା ଓ ଭଦ୍ରା ଚାପର ମରାମତି ସହ ରଙ୍ଗ କାର୍ଯ୍ଯ ଚାଲିଛି। ଚଳିତ ବର୍ଷ ପୁଷ୍କରିଣୀର ଜଳସ୍ତର କମ ଥିବାରୁ ଅସ୍ଥାୟୀ ମଞ୍ଚା ନିର୍ମାଣ ହେଉଛି।

ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ସହ ବାହାର ଚନ୍ଦନ ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ,ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି। ଛତିଶା ନିଯୋଗ ବୈଠକରେ ସମସ୍ତ ନୀତିକାନ୍ତି ଚୁଡାନ୍ତ ହୋଇସାରିଥିବା ବେଳେ ଚନ୍ଦନ ଯାତ୍ରା ପାଇଁ ଗତକାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ମଧ୍ୟ ହୋଇଥିଲା। ପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ପାଇଁ ସଜେଇ ହେଉଛି ନରେନ୍ଦ୍ର ପୁଷ୍କରିଣୀ। ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ,ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ଜଳ କ୍ରୀଡା ବା ଚାପ ଖେଳିବା ପାଇଁ ନରେନ୍ଦ୍ର ପୁଷ୍କରିଣୀ ଯାତ୍ରା କରିବେ।

ଶୃଙ୍ଖଳିତ ଦର୍ଶନ ସହ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି କରାଯାଉଛି। ଆସନ୍ତା ୨୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ତିନୋଟି ଧଉରା କାଠ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ଯାଳୟ ସମ୍ମୁଖରେ ରଖାଯାଇ ରଥ ଅନୁକୂଳ ସହ ର୍ନିମାଣ କାର୍ଯ୍ଯ ଆରମ୍ଭ ହେବ। ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ଯାଳୟ ସମ୍ମୁଖରେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ରଥ ଖଳାରେ ଚାଳି ଦ୍ୱାରା ଠାକୁରଙ୍କ ସମସ୍ତ ଚନ୍ଦନ ଘର ,ମନ୍ଦିର ରଙ୍ଗ କାର୍ଯ୍ଯ ଚାଲିଛି।

ଅନ୍ୟପଟେ ଚନ୍ଦନ ଯାତ୍ରା ପୂର୍ବରୁ ଏସପି କନୱର୍‌ ବିଶାଲ ସିଂହ ଅନ୍ଯ ପୋଲିସ ଅଧିକାରୀ ଓ ସେବାୟତଙ୍କ ସହ ନରେନ୍ଦ୍ର ପୁଷ୍କରିଣୀକୁ ଯାଇ ପୋଲିସ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି। ଉକ୍ତ ଦିନ ମହାପ୍ରଭୁଙ୍କ ନୀତି କାନ୍ତି କିଭଳି ସୁରୁଖୁରୁରେ ସମ୍ପାଦିତ ହେବ ଓ ଶ୍ରଦ୍ଧାଳୁ ମନେ ସୁବିଧାରେ ଦର୍ଶନ କରିପାରିବେ ସେଥିପାଇଁ ଗହଳି ଓ ଟ୍ରାଫିକ ନିୟନ୍ତ୍ରଣ ବ୍ଯବସ୍ଥାର ସମୀକ୍ଷା କରିଛନ୍ତି । ଚନ୍ଦନ ଯାତ୍ରା ସମୟରେ ୨ ଜଣ ଅତିରିକ୍ତ ଏସପି,୩ ଜଣ ଡିଏସପି,୭ ଜଣ ଇନ୍ସପେକ୍ଟର ,୨୫ ଜଣ ସବ ଇନ୍ସପେକ୍ଟର ଓ ସବ ଇନ୍ସପେକ୍ଟର ଓ ୮ ପ୍ଲାଟୁନ ଫୋର୍ସ ମୁତୟନ ହେବେ ବୋଲି ଏସପି କହିଛନ୍ତି ।

ad-week
Leave A Reply

Your email address will not be published.