ସୁପ୍ରିମକୋର୍ଟରେ ନିଃସର୍ତ୍ତ କ୍ଷମା ମାଗିଲେ ଲଳିତ ମୋଦି…

add-all

ନୂଆଦିଲ୍ଲୀ : ଆଇପିଏଲର ପୂର୍ବତନ କମିଶନର ତଥା ପଳାତକ ଘୋଷିତ ଲଳିତ ମୋଦି ଆଜି ସୁପ୍ରିମକୋର୍ଟରେ ନିଃସର୍ତ୍ତ କ୍ଷମା ମାଗିଛନ୍ତି। ଅଦାଲତ ଅବମାନନା ମାମଲାରେ ସେ କ୍ଷମା ମାଗିବାରୁ ତାଙ୍କ ବିରୋଧରେ ଚାଲିଥିବା ମାମଲାକୁ ବନ୍ଦ କରାଯାଇଛି। ଭାରତରୁ ଠକେଇ କରି ଫେରାର ହୋଇଯାଇଥିବା ଲଳିତ ମୋଦି ସୋଶାଲ ମିଡିଆରେ ନ୍ୟାୟପାଳିକା ବିରୋଧରେ ଅତ୍ୟନ୍ତ ଅଭଦ୍ର ଟିପ୍ପଣୀ କରିଥିଲେ। ଏଥିପାଇଁ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରାଯାଇଥିଲା।
ଜଷ୍ଟିସ ଏମଆର ଶାହ ଓ ଜଷ୍ଟିସ ସିଟି ରବିକୁମାରଙ୍କ ନିକଟରେ ଲଳିତ ମୋଦି ସତ୍ୟପାଠ ଦାଖଲ କରି କହିଛନ୍ତି ଯେ ଭବିଷ୍ୟତରେ ସେ ଏମିତି କୌଣସି କାମକରିବେ ନାହିଁ କିମ୍ବା ବୟାନ ଦେବେ ନାହିଁ, ଯାହା ଦ୍ୱାରା ଭାରତୀୟ ଅଦାଲତ କିମ୍ବା ଭାରତୀୟ ନ୍ୟାୟପାଳିକାର ଅପମାନ ହେବ |
ଏହି ସତ୍ୟପାଠ ପରେ ଲଳିତ ମୋଦି ମାଗିଥିବା ନିଃସର୍ତ୍ତ କ୍ଷମାକୁ ସୁପ୍ରିମକୋର୍ଟ ଗ୍ରହଣ କରି ନେଇଛନ୍ତି। ଏହାପରେ ସର୍ବୋଚ୍ଚ ଅଦାଲତ ତାଙ୍କ ବିରୋଧରେ ଚାଲିଥିବା ମାମଲାକୁ ବନ୍ଦ କରିଛନ୍ତି। କୋର୍ଟ କହିଛନ୍ତି, “ସମସ୍ତେ ଏହି ସଂସ୍ଥାକୁ ହୃଦୟରୁ ସମ୍ମାନ ଦେବା ଦରକାର। ଏହା ହିଁ ଆମର ସବୁଠାରୁ ଚିନ୍ତାର ବିଷୟ ଥିଲା।”
ଏପ୍ରିଲ ୧୩ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାରେ ଲଳିତ ମୋଦିଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏଥିସହ ତାଙ୍କୁ ସୋଶାଲ ମିଡିଆ ଓ ଜାତୀୟ ଖବରକାଗଜରେ ନିଃସର୍ତ୍ତ କ୍ଷମା ମାଗିବାକୁ କହିଥିଲେ। ଲଳିତ ମୋଦି କୌଣସି ଆଇନ କିମ୍ବା ସଂସ୍ଥା ଠାରୁ ଉପରେ ନୁହନ୍ତି। ଯଦି ଆଗକୁ ଏପରି କାମ ପୁଣି ଘଟେ, ତା’ହେଲେ ଆମେ ଏହାକୁ ଅତ୍ୟନ୍ତ ଗୁରୁତର ଭାବେ ନେବୁ। ଏହାପରେ ତାଙ୍କୁ ସତ୍ୟପାଠ ଜରିଆରେ କ୍ଷମା ମାଗିବା ପାଇଁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।

ad-week
Leave A Reply

Your email address will not be published.