ରାହୁଲ ଗାନ୍ଧିଙ୍କ ଆବେଦନର ଶୁଣାଣିରୁ ଓହରିଗଲେ ବିଚାରପତି

add-all

ଅହମ୍ମଦାବାଦ : ଅପରାଧିକ ମାନହାନୀ କେସରେ ଦୋଷୀ ସାବ୍ୟସ୍ତ ହୋଇ ଲୋକସଭା ସଦସ୍ୟ ପଦ ହରାଇଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ନେଇ ବଡ଼ ଖବର ଆସିଛି। ଗୁଜରାଟର ତଳ କୋର୍ଟ ରାହୁଲଙ୍କ ବିରୋଧରେ ଦେଇଥିବା ରାୟକୁ ସେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହେଲେ ତାଙ୍କ ଆବେଦନର ଶୁଣାଣି କରିବାକୁ ଥିବା ବିଚାରପତି ଏବେ ନିଜ ଆଡ଼ୁ ଏହି ମାମଲାରୁ ଓହରି ଯାଇଛନ୍ତି।
ରାହୁଲ ଗାନ୍ଧି ଗୁଜରାଟ ହାଇକୋର୍ଟରେ ଆବେଦନ କରିବା ପରେ ଜଷ୍ଟିସ ଗୋପୀଙ୍କ ଖଣ୍ଡପୀଠରେ ଶୁଣାଣି ପାଇଁ ଏହାକୁ ଧାର୍ଯ୍ୟ କରାଯାଇଥିଲା। ହେଲେ ସେ କୋର୍ଟ ରେଜିଷ୍ଟ୍ରୀକୁ ନିର୍ଦ୍ଦେଶ ଦେଇ ମୁଖ୍ୟ ବିଚାରପତିଙ୍କ ନିକଟରେ ଆବେଦନ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ମୁଖ୍ୟ ବିଚାରପତି ଆଉ କେଉଁ ଖଣ୍ଡପୀଠରେ ଆବେଦନର ଶୁଣାଣି ପାଇଁ ଏହାକୁ ତାଲିକା ଭୁକ୍ତ କରିପାରିବେ। ଜଷ୍ଟିସ ଗୋପୀ ଏହାର ଶୁଣାଣି କରିବାକୁ ଚାହୁଁ ନଥିବା କହିଛନ୍ତି। ହେଲେ ଏହା ପଛର କାରଣ ସମ୍ପର୍କରେ ସେ କିଛି ବି କହି ନାହାନ୍ତି।
ଗତକାଲି ହିଁ ରାହୁଲ ଗାନ୍ଧି ତଳ କୋର୍ଟ ମୋଦି ସରନେମ ପ୍ରସଙ୍ଗରେ ଦେଇଥିବା ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତଳ କୋର୍ଟ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାରୁ ତାଙ୍କ ସାଂସଦ ପଦ ରଦ୍ଦ ହୋଇଛି। ସେହିପରି ସେ ତାଙ୍କ ସରକାରୀ ବଙ୍ଗଳା ମଧ୍ୟ ଖାଲି କରି ଦେଇଛନ୍ତି। ହେଲେ ଏବେ ସେ ତଳ କୋର୍ଟଙ୍କ ରାୟ ଉପରେ ରୋକ ଲଗାଇବା ପାଇଁ ଗୁଜରାଟ ହାଇକୋର୍ଟରେ ଆବେଦନ କରିଛନ୍ତି।
ଯଦି କୋର୍ଟ ତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବେ, ତା’ହେଲେ ସେ ସାଂସଦ ପଦ ଫେରିପାଇବାକୁ ସକ୍ଷମ ହେବେ। ୨୦୧୯ ଲୋକସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧି କହିଥିଲେ ଯେ “କେମିତି ସମସ୍ତ ଚୋରଙ୍କ ସରନେମ ମୋଦି?”
ବାସ୍‌ ଏହି ବୟାନକୁ ନେଇ ବିଜେପି ଆଟାକିଂ ମୋଡକୁ ଆସିଥିଲା। ରାହୁଲ ଗାନ୍ଧି ଓବିସମାନଙ୍କୁ ଅପମାନିତ କରିଥିବା ଦଳ ଅଭିଯୋଗ କରିଥିଲା। ଏଥିସହ ଗୁଜରାଟ ବିଜେପି ନେତା ପୁର୍ଣ୍ଣେଶ ମୋଦି କୋର୍ଟଙ୍କ ଦ୍ୱାରସ୍ଥ ହୋଇ ରାହୁଲ ଗାନ୍ଧିଙ୍କ ନାଁରେ ଅପରାଧିକ ମାନହାନୀ କେସ୍‌ କରିଥିଲେ।
ମାଜିଷ୍ଟ୍ରେଟ କୋର୍ଟ ଏହାର ଶୁଣାଣି କରି ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ସେ ଏହାକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ତାଙ୍କୁ ଜାମିନ ମିଳିଥିଲା।

ad-week
Leave A Reply

Your email address will not be published.