ବହୁଚର୍ଚ୍ଚିତ ଆଟିଗାଁ ରାଜସ୍ବ ଅଧିକାରୀଙ୍କ ପିଅନ ହତ୍ୟା ମାମଲା: ମାଆ ଓ ତିନି ପୁଅକୁ ଆଜୀବନ ଜେଲ୍‌

add-all

ଧର୍ମଗଡ଼ : ବହୁଚର୍ଚ୍ଚିତ ଆଟିଗାଁ ରାଜସ୍ବ ଅଧିକାରୀଙ୍କ ପିଅନ ହତ୍ୟା ମାମଲାରେ ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟ ହତ୍ୟାକାରୀ ତିନି ପୁଅ ଓ ମାଆକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଗତ ୧୪/୬/୨୦୧୮ରେ ଜୁନାଗଡ଼ ବ୍ଳକ ଆଟିଗାଁ ରାଜସ୍ବ ନିରୀକ୍ଷକଙ୍କ କାର୍ୟ୍ୟାଳୟ ନିକଟରେ ଥିବା ସରକାରୀ ଜମିକୁ ଅନଧିକୃତ ଅକ୍ତିଆର କରି ସକାଳ ୮ଟା ସମୟରେ ସେହି ଗ୍ରାମର ରାଧୁ ଦଣ୍ଡସେନା, ପିତ ଦଣ୍ଡସେନା, ଯଦୁ ଦଣ୍ଡସେନା ଏବଂ ତାଙ୍କ ମାଆ କୁଚିତା ଦଣ୍ଡସେନା ଘର କରିବାକୁ ନିହିଁ ଖୋଳୁଥିଲେ। ତାହା ସରକାରୀ ଜମି ହୋଇଥିବାରୁ ଆଟିଗାଁ ରାଜସ୍ବ ନିରୀକ୍ଷକଙ୍କ କାର୍ୟ୍ୟାଳୟରେ ଅସ୍ଥାୟୀ ପିଅନ ଭାବେ କାମ କରୁଥିବା ଛାୟାକାନ୍ତ ଦଣ୍ଡସେନା କାମ ବନ୍ଦ କରିବାକୁ କହିବା ସହ ରାଜସ୍ବ ନିରୀକ୍ଷକଙ୍କ ଆସିବା ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପରାମର୍ଶ ଦେଇଥିଲେ।

ଏଥିରେ ରାଗି ଯାଇ ଅଭିଯୁକ୍ତ ରାଧୁ ଦଣ୍ଡସେନାଙ୍କ ହାତକୁ ତାଙ୍କ ମାଆ କୁଚିତା ଦଣ୍ଡସେନା ଟାଙ୍ଗିଆ ବଢେଇ ଦେଇଥିଲେ। ଛାୟାକାନ୍ତକୁ ଅଭିଯୁକ୍ତ ରାଧୁ ଟାଙ୍ଗିଆରେ ହାଣିବା ସମୟରେ ତା’ର ଦୁଇ ଭାଇ ପିତ ଓ ଯଦୁ ଛାୟାକାନ୍ତର ଦୁଇ ହାତକୁ ଧରି ରଖିଥିଲେ। ମୁମୁର୍ଷୁ ଅବସ୍ଥାରେ ଛାୟାକାନ୍ତକୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଜୁନାଗଡ଼ ପୁଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରିଥିଲା। ଶନିବାର ମାମଲାର ବିଚାର କରି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ ବନ୍ଦନା କର କୁଚିତା ଦଣ୍ଡସେନା ଓ ତାଙ୍କ ତିନି ପୁଅ ରାଧୁ,ପିତ ଏବଂ ଯଦୁଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହ ପ୍ରତ୍ୟେକଙ୍କୁ ୫୦ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ବର୍ଷେ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ମାମଲାକୁ ସରକାରୀ ଓକିଲ ପୂର୍ଣଚନ୍ଦ୍ର ନାଗ ପରିଚାଳନା କରୁଥିଲେ।

ad-week
Leave A Reply

Your email address will not be published.