କର୍ଣ୍ଣାଟକ ନିର୍ବାଚନ: କଂଗ୍ରେସ ‘ଇସ୍ତାହାର’ ପୋଡ଼ି ପକାଇଲେ ବଜରଙ୍ଗ ଦଳ କର୍ମୀ

add-all

ନୂଆଦିଲ୍ଲୀ: ଭୋଟ୍‌ ପାଇ କ୍ଷମତାକୁ ଆସିଲେ କର୍ଣ୍ଣାଟକରେ ‘ବଜରଙ୍ଗ ଦଳ’ ଓ ସେ ପ୍ରକାରର ସଙ୍ଗଠନଗୁଡ଼ିକୁ ନିଷିଦ୍ଧ ଘୋଷଣା କରିବ ବ‌ୋଲି ପ୍ରତିଶ୍ରୁତି ଦେଇଥିବା କଂଗ୍ରେସ ପାର୍ଟି ବିରୁଦ୍ଧରେ ମଙ୍ଗଳବାର ଦିନ ‘ବଜରଙ୍ଗ ଦଳ’ ପ୍ରତିବାଦ ପ୍ରଦର୍ଶନ କରିଛି।

ପ୍ରତିଶ୍ରୁତି ପ୍ରତ୍ୟାହାର ଦାବି କରି ‘ବଜରଙ୍ଗ ଦଳ’ କର୍ମୀମାନେ ଦିଲ୍ଲୀ ଏବଂ କର୍ଣ୍ଣାଟକର ମାଙ୍ଗାଲୁରୁରେ ଥିବା କଂଗ୍ରେସ ମୁଖ୍ୟାଳୟ ନିକଟରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ସେମାନେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କ ବିରୋଧରେ ସ୍ଲୋଗାନ୍‌ ଦେବା ସହିତ ମେ ୧୦ ତାରିଖ ଦିନ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନିମନ୍ତେ କଂଗ୍ରେସ ପ୍ରକାଶ କରିଥିବା ଇସ୍ତାହାରକୁ ପୋଡ଼ି ପକାଇଥିଲେ।

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ପ୍ରକାଶିତ ଇସ୍ତାହାରରେ କଂଗ୍ରେସ କହିଛି ଯେ, ଜାତି ଓ ଧର୍ମଭିତ୍ତିରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ  ବିଦ୍ବେଷ ବିସ୍ତାର କରୁଥିବା ‘ବଜରଙ୍ଗ ଦଳ’ ଏବଂ ‘ପପୁଲାର୍‌ ଫ୍ର‌ଣ୍ଟ୍‌ ଅଫ୍‌’ ଇଣ୍ଡିଆ ଭଳି ସଙ୍ଗଠନ ଏବଂ ସେଥିରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର ଓ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାର୍ଯ୍ୟାନୁଷ୍ଠାନଗୁଡ଼କ ମଧ୍ୟରୁ ଗୋଟିଏ ହେଉଛି ସେ ଭଳି ଅନୁଷ୍ଠାନଗୁଡ଼ିକ ଉପରେ ନିଷେଧାଦେଶ ଜାରି କରାଯିବା।

ଦିଲ୍ଲୀରେ ପ୍ରତିବାଦ ପ୍ରଦର୍ଶନ କରିଥିବା ‘ଭିଏଚ୍‌ପି’ ନେତା କହିଛନ୍ତି, ବଜରଙ୍ଗ ଦଳ ହେଉଛି ଦେଶର ଗର୍ବ। ଏଭଳି ପ୍ରତିଶ୍ରୁତି ପ୍ରତ୍ୟାହାର ନିମନ୍ତେ ଯଦି କଂଗ୍ରେସ କର୍ଣ୍ଣାଟକ ନିର୍ବାଚନ ଇସ୍ତାହାର ପରିବର୍ତ୍ତନ ନ କରେ, ତେବେ ତା’ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ ହେବ।

ସାମ୍ବାଦିକମାନଙ୍କୁ ‘ବିଶ୍ବ ହିନ୍ଦୁ ପରିଷଦ୍‌’ର ମୁଖପାତ୍ର ବିଜୟ ଶଙ୍କର ତିୱାରି କହିଛନ୍ତି, ‘ବଜରଙ୍ଗ ଦଳ’ ସଙ୍ଗଠନ ଦେଶପ୍ରେମ ବହ୍ନି ଜଳାଉଛି, ଅସଂଖ୍ୟ ମହିଳାଙ୍କ ମାନମହତ ରକ୍ଷା କରୁଛି, କଂସେଇ କବଳରୁ ଗୋମାତାଙ୍କୁ ସୁରକ୍ଷା ଦେଉଛି ଓ ଦେଶର ଅସଂଖ୍ୟ ଜନତାଙ୍କୁ ବଞ୍ଚାଇବା ଲାଗି ରକ୍ତ ଦାନ କରୁଛି। ବଜରଙ୍ଗ ଦଳ ଆମ ଦେଶର ଗୌରବ ହୋଇଥିବା ବେଳେ କଂଗ୍ରେସ ତାହାକୁ ନିଷିଦ୍ଧ ସଂଗଠନ ‘ପପୁଲାର୍‌ ଫ୍ର‌ଣ୍ଟ୍‌ ଅଫ୍‌’ ସହିତ ତୁଳନା କରୁଛି।

ad-week
Leave A Reply

Your email address will not be published.