ମହୁମାଛି ଦଂଶନରେ ଜଣେ ମୃତ, ୧୯ ଗୁରୁତର

add-all

ରାୟଗଡା // ବାଲେଶ୍ୱର : ନିଆଁ ଜାଳିବା କାଳ ହେଲା। ନିଆଁ ଧୂଆଁରେ ଉଗ୍ର ହୋଇ ଉଠିଲେ ମହୁମାଛି। ପରେ ଗୋଡ଼ାଇ ଗୋଡ଼ାଇ ଯାହାକୁ ପାରିଲେ, ତାକୁ ଦଂଶିଲେ। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଗୁରୁତର ଆହତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଆଜି ଏପରି ଚିତ୍ର ବାଲେଶ୍ୱର ଓ ରାୟଗଡ଼ା ଜିଲ୍ଲାରୁ ଆସିଛି।

ଆଜି ସକାଳେ ବାଲେଶ୍ୱର ଜିଲ୍ଲା ବରହମପୁର ଥାନା ଗରଡି ପଞ୍ଚାୟତ ବାଙ୍କୀସାହି ଗାଁର ରାମଚନ୍ଦ୍ର ସ’ ଅଳିଆରେ ନିଆଁ ଲଗାଇଥିଲେ। ସେଥିରୁ ଉଠିଥିବା ଧୂଆଁ ପାଖରେ ଥିବା ଗଛରେ ବସା ବାନ୍ଧିଥିବା ମହୁମାଛିଙ୍କ ଦେହରେ ଲାଗି ଥିଲା। ଏହା ପରେ ମହୁମାଛିମାନେ ବାସ ଛାଡ଼ି ଏଣେତେଣେ ଘୂରି ବୁଲିଥିଲେ। ପରେ ରାମଚନ୍ଦ୍ର ଓ ତାଙ୍କ ନାତିଙ୍କୁ ଗୋଡ଼ାଇ ଗୋଡ଼ାଇ ଦଂଶି ଥିଲେ। ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ନୀଳଗିରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ରାମଚନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲା। ତେବେ ମୃତ ରାମଚନ୍ଦ୍ରଙ୍କ ନାତି ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ଠିକ୍‌ ସେହିପରି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ କରଞ୍ଜ ଗାଁରେ ସମାନ ଘଟଣା ଘଟିଛି। ମହୁମାଛି ଆକ୍ରମଣରେ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି। ଠାକୁରାଣୀ ଘଟଯାତ୍ରା ବିସର୍ଜନ ସମୟରେ ଏକ ଗଛ ମୂଳରେ ନିଆଁ ଜାଳି ପୂଜାର୍ଚ୍ଚନା କରୁଥିଲେ। ସେଠାରୁ ଉଠିଥିବା ଧୂଆଁ ସେହି ଗଛ ଉପରେ ଥିବା ମୋହୁ ଫେଣାରେ ବାଜି ଥିଲା। ଫଳାରେ ମହୁମାଛି ଫେଣା ଛାଡ଼ି ବାହାରକୁ ପଳାଇ ଆସିଥିଲେ। ଏହା ପରେ ସେଠାରେ ଥିବା ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଦଂଶିଥିଲେ। ଏଥିରେ ୧୮ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ଭିତରେ ୩ ଜଣ ଶିଶୁ ରହିଛନ୍ତି। ସମସ୍ତଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ad-week
Leave A Reply

Your email address will not be published.