ଇମ୍ରାନ ଖାନଙ୍କ ଗିରଫଦାରୀ ଅବୈଧ, ତୁରନ୍ତ ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

add-all

ନୂଆଦିଲ୍ଲୀ : ଦୁର୍ନୀତି ମାମଲାରେ ନାଟକୀୟ ଢଙ୍ଗରେ ଗିରଫ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ଏନବି‌ଏ ପାକ୍‌ ରେଞ୍ଜର୍ସଙ୍କୁ ଲଗାଇ ଇମ୍ରାନ ଖାନଙ୍କୁ ଇସଲାମାବାଦ ହାଇକୋର୍ଟ ପରିସର ଭିତରୁ ଉଠାଇ ନେଇଥିଲା। ତେବେ ଆଜି ଏହାକୁ ଅବୈଧକ କହିଛନ୍ତି ପାକିସ୍ତାନର ସୁପ୍ରିମକୋର୍ଟ। ଏଥିସହ ତାଙ୍କୁ ତୁରନ୍ତ ଖଲାସ କରିବାକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
୭୦ ବର୍ଷୀୟ ଇମ୍ରାନ ଖାନ ରାଜନୀତିକ ଦଳ ପିଟିଆଇ ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲା। ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଉମର ଅଟା ବଣ୍ଡିଆଲ, ଜଷ୍ଟିସ ମହମ୍ମଦ ଅଲୀ ମଝାର ଓ ଜଷ୍ଟିସ ଅଥର ମିନାଲ୍ଲାହଙ୍କ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଥିଲେ।
ଶୁଣାଣି ବେଳେ ଇମ୍ରାନ ଖାନଙ୍କୁ ଯେଉଁଭଳି ଭାବେ କୋର୍ଟ ପରିସରରୁ ଉଠାଇ ନେଇ ଗିରଫ କରାଯାଇଥିଲା, ତା’କୁ ନେଇ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଇମ୍ରାନ ଖାନଙ୍କ ସହ ଯାହା ବି ହୋଇଛି, ସେସବୁ ଅନ୍ୟାୟ ବୋଲି ମଧ୍ୟ କୋର୍ଟ କହିଛନ୍ତି।
ଶୁଣାଣି ବେଳେ ଖଣ୍ଡପୀଠ ଇମ୍ରାନ ଖାନଙ୍କୁ ୧ ଘଣ୍ଟା ମଧ୍ୟରେ କୋର୍ଟରେ ହାଜର କରିବାକୁ ସୁରକ୍ଷାକର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଏନବିଏ ବିରୋଧ କରିବା ସହ କାଲି ଯାଏ ସମୟ ମାଗିଥିଲା। କିନ୍ତୁ ସର୍ବୋଚ୍ଚ ଅଦାଲତ କିଛି ବି ଶୁଣି ନଥିଲେ।
ଏହାପରେ ଇମ୍ରାନଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ କୋର୍ଟରେ ହାଜର କରାଯାଇଥିଲା। ଇମ୍ରାନ କୋର୍ଟରେ ପହଞ୍ଚିବା ପରେ ସିଜେଆଇ ବାଣ୍ଡିଆଲ କହିଥିଲେ ଯେ “ଆପଣଙ୍କୁ ଦେଖି ଭଲ ଲାଗୁଛି।” ଏହାପରେ ଖଣ୍ଡପୀଠ କହିଥିଲେ ଯେ ଇମ୍ରାନ ଖାନଙ୍କ ଗିରଫଦାରୀ ବେଆଇନ। ତାଙ୍କ ସହ ଅନ୍ୟାୟ ହୋଇଛି। ତାଙ୍କୁ ତୁରନ୍ତ ମୁକ୍ତ କରାଯାଉ।”
ସୁପ୍ରିମକୋର୍ଟ ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ପୁଲିସ୍‌ ଲାଇନ ଗେଷ୍ଟ ହାଉସକୁ ପଠାଇଛନ୍ତି। ଆସନ୍ତାକାଲି ତାଙ୍କୁ ଇସଲାମାବାଦ ହାଇକୋର୍ଟରେ ନିଜ ଆଡ଼ୁ ହାଜର ହେବାକୁ କହିଛନ୍ତି। ଏଥିସହ କୌଣସି ବ୍ୟକ୍ତିଙ୍କୁ କୋର୍ଟ ପରିସରରେ କେହି ବି ଗିରଫ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି।

ad-week
Leave A Reply

Your email address will not be published.