ଇମ୍ରାନ ଖାନଙ୍କ ପରେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଗିରଫ

add-all

ଇସଲାମାବାଦ : ହିଂସା ଦ୍ୱାରା ଜଳୁଥିବା ପାକିସ୍ତାନରେ ଏବେ ଜଣଙ୍କ ପରେ ଜଣେ ରାଜନେତା ଗିରଫ ହେବାରେ ଲାଗିଛନ୍ତି। ମଙ୍ଗଳବାର ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଥିଲା। ଏବେ ତାଙ୍କର ଘନିଷ୍ଠ ସହଯୋଗୀ ତଥା ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେଶି ଗିରଫ ହୋଇଛନ୍ତି।
ଇମ୍ରାନଙ୍କ ଗିରଫଦାରୀକୁ ନେଇ ପିଟିଆଇ କର୍ମୀମାନେ ସାରା ଦେଶରେ ଲଙ୍କାକାଣ୍ଡ ଘଟାଇଛନ୍ତି। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ସ୍ଥିତିକୁ ଦେଖି ଦେଶର ରାଜଧାନୀ ଇସଲାମାବାଦ ଓ ଆଉ ୩ଟି ପ୍ରଦେଶରେ ଆର୍ମି ଯବାନଙ୍କୁ ମୁତୟନ କରାଯାଇଛି।
ଏସବୁ ଭିତରେ ପୁଲିସ୍‌ କ୍ୟୁରେଶିଙ୍କୁ ସାଦା ପୋଷାକରେ ଆସି ଗିରଫ କରିବା ସହ ଅଜଣା ସ୍ଥାନରେ ରଖିଥିବା ପିଟିଆଇ ପକ୍ଷରୁ ଦାବି କରାଯାଇଛି। ଏନେଇ ଦଳ ଗୋଟିଏ ଭିଡିଓ ମଧ୍ୟ ଜାରି କରିଛି।
ପିଟିଆଇ କହିଛି ଯେ ୬୬ ବର୍ଷୀୟ କ୍ୟୁରେଶିଙ୍କୁ ଇସଲାମାବାଦ ପୁଲିସ୍‌ ଗୁରୁବାର ଭୋରରୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ଗୋଟିଏ ଗାଡ଼ିରେ କୌଣସି ଅଜଣା ସ୍ଥାନକୁ ନିଆଯାଇଛି।
ଏହାପୂର୍ବରୁ ମଙ୍ଗଳବାର ଇମ୍ରାନ ଖାନଙ୍କୁ ଇସଲାମାବାଦ ହାଇକୋର୍ଟ ପରିସରରୁ ପାକ ରେଞ୍ଜର୍ସମାନେ ତଣ୍ଟିଆ ମାରି ଗିରଫ କରିବା ସହ ନିଜ ସାଙ୍ଗରେ ନେଇ ଯାଇଥିଲେ। ବୁଧବାର ତାଙ୍କୁ ଗୋଟିଏ ସ୍ୱତନ୍ତ୍ର କୋର୍ଟ ୮ ଦିନିଆ ରିମାଣ୍ଡରେ ପଠାଇ ଦେଇଛି।
ତେବେ ଇମ୍ରାନ ଖାନଙ୍କ ଗିରଫଦାରୀକୁ ନେଇ ସମଗ୍ର ଦେଶରେ ହିଂସାତ୍ମକ ପରିସ୍ଥିତି ଦେଖାଯାଇଛି। ଇମ୍ରାନଙ୍କ ସମର୍ଥକମାନେ ବ୍ୟାପକ ପୋଡ଼ାଜଳା କରିବା ସହ ଆର୍ମି ମୁଖ୍ୟାଳୟରେ ଧସେଇ ପଶିଥିଲେ। ଏଥିସହ କ୍ରପ୍ସ କମାଣ୍ଡରଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଏହାକୁ ନେଇ ପୂରା ଦେଶ ଅଶାନ୍ତ ହୋଇପଡ଼ିଛି।

ad-week
Leave A Reply

Your email address will not be published.