ତୁଟିଲା ଯୋରନ୍ଦା ମହିମା ଗାଦି ବିବାଦ, ଉନ୍ନତି ପାଇଁ ୧୦ କୋଟି ଟଙ୍କା ମଞ୍ଜୁର

add-all

ଢେଙ୍କାନାଳ: ତୁଟିଲା ଢେଙ୍କାନାଳ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମହିମା ଗାଦିରେ ବକଳ ଧାରୀ ସନ୍ନ୍ୟାସୀ ଓ କୌପିନୀ ଧାରୀ ସନ୍ନ୍ୟାସୀଙ୍କ ମଧ୍ୟରେ ବିବାଦ। ବହୁଦିନ ଧରି ଲାଗି ରହିଥିବା ବିବାଦର ଆଜି ସମାଧାନ ହୋଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଯୋରନ୍ଦା ଠାରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଏସପି ଜ୍ଞାନରଞ୍ଜନ ମହାପାତ୍ର, ଉପଜିଲ୍ଲାପାଳ, ଯୋରନ୍ଦା ବିଡିଓ, ସରପଞ୍ଚ ଓ ବକଳ ଧାରୀ ଓ କୌପିନୀ ଧାରୀ ସାଧୁ ସନ୍ନ୍ୟାସୀ ଯୋଗ ଦେଇଥିବା ବେଳେ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହୋଇଥିଲା। ପୂର୍ବରୁ ଲାଗି ରହିଥିବା ସମସ୍ତ ମକଦ୍ଦମାକୁ ଉଠାଇ ନେବାକୁ ଉଭୟ ଗୋଷ୍ଠୀ ସହମତି ପ୍ରକାଶ କରିଛନ୍ତି।

ପୂର୍ବରୁ ବକଳଧାରୀ ସାଧୁ ମାନଙ୍କ ପକ୍ଷରୁ ଲାଗିଥିବା ବିବାଦ ପରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ କୌପିନୀ ଧାରୀ ସାଧୁମାନଙ୍କର ଧୂନୀ ମନ୍ଦିର ଭଙ୍ଗା ପରେ ବିବାଦ ଜୋର ଧରିଥିଲା। ତେବେ ଆଜିର ବୈଠକ ପରେ ସମସ୍ୟାର ସମାଧାନ ହୋଇଛି। ଯୋରନ୍ଦା ମହିମା ଗାଦିର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଖୁବ୍‌ ଶୀଘ୍ର ଯୋରନ୍ଦା ପୀଠର ହେବ ନବ କଳେବର। ଏହାକୁ ଅନ୍ତର୍ଜାତୀୟ ସ୍ତରର ପର୍ଯ୍ୟଟନ ସ୍ଥଳୀରେ ପରିଣତ କରାଯିବ ବୋଲି ଜିଲ୍ଲାପାଳ ସରୋଜ କୁମାର ସେଠୀ ସୂଚନା ପ୍ରଦାନ କରିଛନ୍ତି।

ad-week
Leave A Reply

Your email address will not be published.