ଭିଜିଲାନ୍ସ ଜାଲରେ ଜୁନିୟର ଷ୍ଟେନୋଗ୍ରାଫର

add-all

ନୟାଗଡ଼: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନୟାଗଡ଼ ଜିଲ୍ଲା ଟ୍ରେଜେରୀ ଅଫିସର ଜୁନିୟର ଷ୍ଟେନୋଗ୍ରାଫର ଦୁର୍ଗା ପ୍ରସାଦ ମହାପାତ୍ର। ସେ ୪୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।

୧୬୧ ଜଣ ଶିକ୍ଷକଙ୍କ ପରମାନେଣ୍ଟ ରିଟାୟାରମେଣ୍ଟ ଆକାଉଣ୍ଟ ନମ୍ବର (PRAN) ଖୋଲି ଦେବା ପାଇଁ ଜୁନିୟର ଷ୍ଟେନୋଗ୍ରାଫର ଦୁର୍ଗା ପ୍ରସାଦ ମହାପାତ୍ର ଲାଞ୍ଚ ମାଗିଥିଲେ। ଶିକ୍ଷକଙ୍କ ପିଛା ୩୦୦ ଟଙ୍କା ଦେବାକୁ ସେ କହିଥିଲେ। ଲାଞ୍ଚ ନ ଦେଲେ କାମ ହେବ ନାହିଁ ବୋଲି କହିଥିଲେ।

ଶିଖରପୁର ହାଇସ୍କୁଲର ଶିକ୍ଷୟିତ୍ରୀ ମୈତ୍ରୀ ଆଚାର୍ଯ୍ୟ ଏ ନେଇ ନୟାଗଡ଼ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଭିଜିଲାନ୍ସର ଯୋଜନା ମୁତାବକ ମୈତ୍ରୀ ଆଚାର୍ଯ୍ୟ ଆଜି ଜୁନିୟର ଷ୍ଟେନୋଗ୍ରାଫର ଦୁର୍ଗା ପ୍ରସାଦ ମହାପାତ୍ରଙ୍କୁ ଟଙ୍କା ଦେଇଥିଲେ। ଏହି ସମୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ ଦୁର୍ଗା ପ୍ରସାଦ ମହାପାତ୍ରଙ୍କୁ ଧରାଯାଇଥିଲା।

ଦୁର୍ଗାପ୍ରସାଦ ମହାପାତ୍ରଙ୍କୁ ଗିରଫ କରିବା ପରେ ନୟାଗଡ଼ ତ୍ରିନାଥ ଛକ ସ୍ଥିତ ତାଙ୍କ ସରକାରୀ ବାସଭବନ ସମେତ ମୋଟ ୨ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।

ଶିକ୍ଷୟିତ୍ରୀ ମୈତ୍ରୀ ଆଚାର୍ଯ୍ୟ କହିଛନ୍ତି, ଆମର PRAN ଆଇଡି ପ୍ରସ୍ତୁତି ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଏକ ଡାଟା ଶିଟ୍ ଦିଆଯାଏ। ଡିଡିଓ ଏକ ଚିଠି କରି ଜଣାଇଥିଲେ ଯେ ଟ୍ରେଜେରୀ ଅଫିସ ଏ ସବୁ କାମ କରିବା କଥା। କିନ୍ତୁ ଆମେ ସବୁ କାମ କରିଛୁ। ୱେବସାଇଟରେ ସବୁ ଡାଟା ଆମେ ଏଣ୍ଟ୍ରି କରିଛୁ। ସେ (ଜୁନିୟର ଷ୍ଟେନୋଗ୍ରାଫର) କେବଳ ଟ୍ରେଜେରୀ ଅଫିସରଙ୍କ ଦସ୍ତଖତ ନେଇ ସେଗୁଡ଼ିକୁ ପଠାଇ ଦେବା କଥା। ଏତିକି କାମ କରିବା ପାଇଁ ସେ ୩୦୦ ଟଙ୍କା ଲେଖାଏଁ ମାଗିଥିଲେ। ୨୦-୨୧ ବ୍ୟାଚ୍‌ରେ ସେ ଏହି କାମ କରିବା ପାଇଁ ୧୯୬ ଜଣଙ୍କ ଠାରୁ ୫୫ ହଜାର ଟଙ୍କା ନେଇଥିଲେ। ଏଥର ଜଣେ ଶିକ୍ଷକ ପିଛା ୪୦୦ ଟଙ୍କା ଲେଖାଏ ମାଗିଥିଲେ। ଆମେ ମନା କରିବାରୁ ୩୦୦ ଟଙ୍କା ଲେଖାଏ ଦେବାକୁ କହିଥିଲେ। ସେ ଟଙ୍କା ନିଅନ୍ତି ଓ ତା’ ସାଙ୍ଗରେ ଅଭଦ୍ର ବ୍ୟବହାର କରନ୍ତି।

ad-week
Leave A Reply

Your email address will not be published.