ବନ୍ଧବୀଙ୍କୁ କକପିଟକୁ ନେଇଥିବା ପାଇଲଟ୍‌ ନିଲମ୍ବିତ, ଏୟାର ଇଣ୍ଡିଆକୁ ୩୦ ଲକ୍ଷ ଜରିମାନା

add-all

ନୂଆଦିଲ୍ଲୀ: ଦୁବାଇରୁ ଦିଲ୍ଲୀ ଯାଉଥିବା ବିମାନରେ ଜଣେ ମହିଳା ବନ୍ଧୁଙ୍କୁ ସୁରକ୍ଷା ନିୟମ ଉଲ୍ଲଂଘନ କରି କକପିଟ୍‌ ରେ ପ୍ରବେଶ ଓ ରହିବାକୁ ଅନୁମତି ଦେଇଥିବାରୁ ଏୟାର ଇଣ୍ଡିଆର ଜଣେ ପାଇଲଟଙ୍କୁ ୩ ମାସ ପାଇଁ ନିଲମ୍ବିତ କରାଯାଇଛି ଏବଂ ଏୟାରଲାଇନ୍‌ସକୁ ୩୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଏହି ଘଟଣା ଗତ ଫେବ୍ରୁଆରି ମାସରେ ଘଟିଥିଲା।
ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ କୁହାଯାଇଛି ଯେ ବିମାନର କମାଣ୍ଡରେ ଥିବା ପାଇଲଟ୍‌ ଡିଜିସିଏ ନିୟମକୁ ଉଲ୍ଲଂଘନ କରି ଯାତ୍ରୀ ଭାବେ ସଂପୃକ୍ତ ବିମାନରେ ଯାତ୍ରା କରୁଥିବା ଜଣେ ବାନ୍ଧବୀଙ୍କୁ ଉଡ଼ାଣ ସମୟରେ କକପିଟ୍‌ରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ। ଏହା ନିରାପତ୍ତା ସମ୍ବେଦନଶୀଳ ନିୟମର ଉଲ୍ଲଂଘନ ହୋଇଥିଲେ ସୁଦ୍ଧା ଏୟାର ଇଣ୍ଡିଆ ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରି ନଥିଲା ବୋଲି ନିୟାମକ କହିଛନ୍ତି।
ସେଥିପାଇଁ ସୁରକ୍ଷା ସମ୍ବେଦନଶୀଳ ପ୍ରସଙ୍ଗକୁ ତୁରନ୍ତ ଓ ପ୍ରଭାବଶାଳୀ ଭାବେ ସମାଧାନ କରି ନଥିବାରୁ ଏୟାର ଇଣ୍ଡିଆକୁ ୩୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ବିମାନ ନିୟମାବଳୀ ୧୯୩୭ ଅନୁଯାୟୀ ଦିଆଯାଇଥିବା ପାଇଲଯଙ୍କ ଅଧିକାରର ଅପବ୍ୟବହାର ଏବଂ ପ୍ରଯୁଜ୍ୟ ଡିଜିସିଏ ନିୟମ ଉଲ୍ଲଂଘନ ପାଇଁ ପିଆଇସିର ପାଇଲଟ ଲାଇସେନ୍‌ସକୁ ତିନି ମାସ ପାଇଁ ବାତିଲ କରାଯାଇଛି। ଉଲ୍ଲଂଘନକୁ ରୋକିବାରେ ଦୃଢ଼ ନ ଥିବାରୁ କୋ-ପାଇଲଟଙ୍କୁ ମଧ୍ୟ ଚେତାବନୀ ଦିଆଯାଇଛି ବୋଲି ନିୟାମକ କହିଛନ୍ତି।
ଅନଧିକୃତ ଲୋକଙ୍କୁ କକପିଟ୍‌ ଭିତରକୁ ପ୍ରବେଶ କରିବାକୁ ଅନୁମତି ନାହିଁ ଏବଂ ଏଭଳି କୌଣସି ପ୍ରବେଶ ନିୟମକୁ ଉଲ୍ଲଂଘନ କରୁଛି ବୋଲି ଡିଜିସିଏ କହିଛନ୍ତି। ଏହା ପୂର୍ବରୁ ନିୟାମକ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ସଂପୃକ୍ତ ବିମାନର ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟରୁ ହଟାଇ ଦେଇଥିଲେ।

ad-week
Leave A Reply

Your email address will not be published.