ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ପାସ ହାର ୯୬.୪%

add-all

କଟକ: ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଫଳ ଘୋଷଣା କରିଛନ୍ତି। ଏଥର ପାସ୍ ହାର ୯୬.୪% ରହିଛି। 

ଚଳିତ ବର୍ଷ ମୋଟ ୫ ଲକ୍ଷ ୨୭ ହଜାର ୩୭୪ ଜଣ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୧୬ ହଜାର ୪୩୫ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୮୬ ଜଣଙ୍କୁ ଏମ୍‌ପି କରାଯାଇଥିବା ବେଳେ ୫ ଲକ୍ଷ ୮ ହଜାର ୪୦୪ ଜଣ ପାସ୍ କରିଛନ୍ତି।

ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୧୫୮ ଜଣ A1 ଗ୍ରେଡରେ ପାସ୍ କରିଥିବା ବେଳେ ୨୯ ହଜାର ୮୩୮ ଜଣ A2, ୭୭ ହଜାର ୫୬୭ ଜଣ B1, ୧ଲକ୍ଷ ୧୮ ହଜାର ୭୫୦ ଜଣ B2, ୧ ଲକ୍ଷ ୨୧ ହଜାର ୬୧୧ ଜଣ C, ୯୫ ହଜାର ୬ ଜଣ D, ୬୧ ହଜାର ୪୭୪ ଜଣ E ଓ ୭୬୪୫ ଜଣ F ଗ୍ରେଡରେ ପାସ୍ କରିଛନ୍ତି।

ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ଛାତ୍ରୀଙ୍କ ପାସ୍‌ ହାର ୯୭.୦୫% ରହିଥିବା ବେଳେ ଛାତ୍ରଙ୍କ ପାସ୍‌ ହାର ୯୫.୭୫% ରହିଛି।୨ଲକ୍ଷ ୫୭ ହଜାର ୧୦୬ ଜଣ ଛାତ୍ରୀ ପାସ୍ କରିଥିବା ବେଳେ ୨ ଲକ୍ଷ ୫୧ ହଜାର ୨୯୮ ଜଣ ଛାତ୍ର ପାସ୍ କରିଛନ୍ତି।

୯୦%ରୁ ଅଧିକ ନମ୍ବର ରଖିଥିବା ଝିଅଙ୍କ ସଂଖ୍ୟା ୨,୨୫୪ ରହିଥିବା ବେଳେ  ୯୦%ରୁ ଅଧିକ ନମ୍ବର ରଖିଥିବା ପୁଅଙ୍କ ସଂଖ୍ୟା ୧,୯୦୪ ରହିଛି।

୩,୨୨୨ଟି ସ୍କୁଲରେ ଶତପ୍ରତିଶତ ପିଲା ପାସ କରିଛନ୍ତି। କଟକ ଓ ଜଗତସିଂହପୁର ଜିଲ୍ଲାରେ ପାସ୍‌ହାର ସର୍ବାଧିକ ୯୭.୯୯% ରହିଛି। 
ମାଲକାନଗିରି ଜିଲ୍ଲାରେ ସବୁଠାରୁ କମ୍‌ ରେଜଲ୍ଟ ହୋଇଛି। ଏଠାରେ ପାସ୍ ହାର ୯୨.୬୩ % ରହିଛି। 

www. bseodisha.ac.in ରେ ରେଜଲ୍ଟ ଉପଲବ୍ଧ ହେଉଛି। ପରୀକ୍ଷା ଫଳକୁ ନେଇ ଯଦି ପରୀକ୍ଷାର୍ଥୀଙ୍କର କିଛି ଆପତ୍ତି ଅଭିଯୋଗ ଥାଏ ତେବେ ଗୋଟିଏ ମାସ ମଧ୍ୟରେ ଛାତ୍ରଛାତ୍ରୀମାନେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇପାରିବେ। ସେଥିପାଇଁ ବୋର୍ଡ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ନମ୍ବର ୦୬୭୧-୨୪୧୫୪୬୦ ଜାରି କରାଯାଇଛି।

ଗତ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହୋଇପାରି ନଥିବା ବେଳେ ଚଳିତ ବର୍ଷ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା  ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି।  ଫେଲ୍‌ ତଥା ଡ୍ରପଆଉଟ୍ ହୋଇଥିବା ପିଲାଙ୍କ ପାଇଁ ଏହି ପରୀକ୍ଷା ହେବ। ଏନେଇ ଖୁବଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। 

ad-week
Leave A Reply

Your email address will not be published.