ୟୁକ୍ରେନୀୟ ସହର ବାକ୍‌ମୁଟ୍‌ ଦଖଲ କରିଥିବା କହିଲା ରୁଷ୍‌; ଦାବି ଅଗ୍ରାହ୍ୟ କଲା କିବ୍

add-all

ମସ୍କୋ: ୟୁକ୍ରେନର ପୂର୍ବାଞ୍ଚଳ ଅନ୍ତର୍ଗତ ପ୍ରମୁଖ ସହର ବାକ୍‌ମୁଟ୍‌କୁ ତାଙ୍କର ସୈନିକମାନେ ଦଖଲ କରିଥିବା କଥା ରୁଷୀୟ ଘରୋଇ ସେନା ‘ୱାଗ୍‌ନର୍‌  ଗ୍ରୁପ୍‌’ର ମୁଖ୍ୟ ଶନିବାର ଦିନ କହିଥିବା ବେଳେ ଲଢ଼େଇ ଚାଲିଛି କହି କିବ୍‌ ତାଙ୍କ ଦାବିକୁ ଅଗ୍ରାହ୍ୟ କରିଛି।

‘ଟେଲିଗ୍ରାମ୍‌’ରେ ପୋଷ୍ଟ୍‌ ହୋଇଥିବା ଏବଂ ‘ସିଏନ୍‌ଏନ୍‌’ ଦ୍ବାରା ଅନୁବାଦିତ ହୋଇଥିବା ଏକ ଭିଡିଓରେ ‘ୱାଗ୍‌ନର୍‌ ଗ୍ରୁପ୍‌’ର ସଂସ୍ଥାପକ ୟେଭ୍‌ଗେନି ପ୍ରିଗୋଝିନ୍‌ କହିଛନ୍ତି ଯେ, ବାକ୍‌ମୁଟ୍‌କୁ ଅଧିକାର କରିବା ଅଭିଯାନ ୨୨୪ ଦିନ ଧରି ଚାଲିଥିଲା।

ସେ କହିଛନ୍ତି, ଆଜି ମଧ୍ୟାହ୍ନ ୧୨ଟା ବେଳେ ବାକ୍‌ମୁଟ୍‌କୁ ସମ୍ପୂର୍ଣ୍ଣ ଦଖଲ କରାଯାଇଛି। ଘରକୁ ଘର କରି ଆମେ ସମ୍ପୂର୍ଣ୍ଣ ନଗରୀକୁ ଅକ୍ତିଆର କରିଛୁ।

ରୁଷୀୟ ପତାକା ଧରି ତାଙ୍କ ସୈନ୍ୟମାନଙ୍କ ସହିତ ଫଟୋ ପାଇଁ ‘ପୋଜ୍‌’ ଦେଇଥିବା ପ୍ରିଗୋଝିନ୍‌ ଉକ୍ତ ଭିଡିଓ ବାର୍ତ୍ତାରେ ଆହୁରି ମଧ୍ୟ କହିଛନ୍ତି ଯେ, ଖୁବ୍‌ ଶୀଘ୍ର ଉକ୍ତ ସହରକୁ ସେ ରୁଷୀୟ ସରକାରୀ ସେନାକୁ ହସ୍ତାନ୍ତର କରିବେ।

ଏ କଥାକୁ ୟୁକ୍ରେନୀୟ ସରକାରୀ ଅଧିକାରୀମାନେ ଅଗ୍ରାହ୍ୟ କରି କହିଛନ୍ତି ଯେ, ଡୋନେତ୍‌ସ୍କ୍‌ର ଉତ୍ତରକୁ ପ୍ରାୟ ୫୫ ମାଇଲ୍‌ ଦୂର ବାକ୍‌ମୁଟ୍‌ ନଦୀ ତଟରେ ଅବସ୍ଥିତ ଉକ୍ତ ନଗରୀରେ ଏବେ ବି ସେମାନଙ୍କ ସୈନିକମାନେ ଯୁଦ୍ଧ କରୁଛନ୍ତି।

କିନ୍ତୁ, ସହରର ସାମ୍ପ୍ରତିକ ପରିସ୍ଥିତି ଜଟିଳ ବୋଲି ୟୁକ୍ରେନୀୟ ଉପ-ପ୍ରତିରକ୍ଷା ମନ୍ତ୍ରୀ ହାନ୍ନା ମାଲିଆର୍‌ କହିଛନ୍ତି। ସେପଟେ, ‘ଜି-୭’ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି ଜାପାନରେ ଥିବାରୁ ସର୍ବସାଧାରଣରେ ବାକ୍‌ମୁଟ୍‌ ନଗରୀ ସଂକ୍ରାନ୍ତରେ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରିନାହାନ୍ତି।

ୟୁକ୍ରେନୀୟ ସହର ବାକ୍‌ମୁଟ୍‌ ଦଖଲ ପରେ ସବୁଠୁ ଦୀର୍ଘ ଓ ସବୁଠୁ ଅଧିକ ରକ୍ତପାତ ଘଟାଇଥିବା ୧୫ମାସିଆ ଯୁଦ୍ଧର ଅବସାନ ଘଟିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି।

ad-week
Leave A Reply

Your email address will not be published.