ଚୀନ୍‌କୁ ଭାରତର କଡ଼ା ଜବାବ, ଶ୍ରୀନଗରରେ ଅଭୂତପୂର୍ବ ସୁରକ୍ଷା

add-all

ଶ୍ରୀନଗର: ଭାରତ କାଶ୍ମୀରରେ ଜି-୨୦ ସମ୍ମଳିନୀର ଆୟୋଜନ କରିଥିବାରୁ ଏହାକୁ ଚୀନ୍ ପୁଣି ଥରେ କଡ଼ା ବିରୋଧ କରିଛି। ତୁର୍କୀ ଓ ସାଉଦି ଆରବ ମଧ୍ୟ ସମ୍ମିଳନୀରେ ଯୋଗ ଦେବାକୁ ନାମ ପଞ୍ଜୀକରଣ କରାଇ ନାହାନ୍ତି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି, ବିବାଦୀୟ ସ୍ଥାନରେ ଜି୨୦ ସମ୍ମଳିନୀ ଆୟୋଜନକୁ ଏହା ବିରୋଧ କରୁଛି ଏବଂ ଏହା ଏଥିରେ ଯୋଗ ଦେବ ନାହିଁ। ଭାରତ ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ, ନିଜର ସାର୍ବଭୌମ ଅଞ୍ଚଳରେ ଯେ କୌଣସି ସ୍ଥାନରେ ଆମେ ସମ୍ମିଳନୀ କରିବାକୁ ସ୍ବାଧୀନ। ଏ ନେଇ କେହି ପ୍ରଶ୍ନ ଉଠାଇପାରିବେ ନାହିଁ। ଚୀନ୍ ସହ ସ୍ବାଭାବିକ ସମ୍ପର୍କ ପାଇଁ ସୀମାରେ ଶାନ୍ତି ଓ ସ୍ଥିରତା ଆବଶ୍ୟକ ବୋଲି ମଧ୍ୟ ଭାରତ ସ୍ପଷ୍ଟ କରିଛି।

୩ୟ ଜି୨୦ ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀର ସମ୍ମିଳନୀ ମେ ୨୨ରୁ ୨୪ ମଧ୍ୟରେ ଶ୍ରୀନଗରରେ କଡ଼ା ସୁରକ୍ଷା ଭିତରେ ଅନୁଷ୍ଠିତ ହେବାକୁ ଯାଉଛି। ୨୦୧୯ରେ ଜମ୍ମୁ-କାଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ସହ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବା ପରେ ଏହା ହେଉଛି ଏଠାରେ ଅନୁଷ୍ଠିତ ହେଉଥିବା ସବୁଠାରୁ ବଡ଼ ଅନ୍ତର୍ଜତୀୟ କାର୍ଯ୍ୟକ୍ରମ। ଜି୨୦ ଦେଶଗୁଡ଼ିକର ପ୍ରାୟ ୬୦ ଜଣ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେବା ଆଶା କରାଯାଉଛି। ସମ୍ମିଳନୀକୁ ଭଣ୍ଡୁର କରିବାକୁ ଚୀନ୍‌ର ଚାପ କାମ ଦେଉନାହିଁ। ଜି୨୦ ସମ୍ମିଳନୀ ପାଇଁ ଶ୍ରୀନଗରରେ ସମ୍ପ୍ରତି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମେରାଇନ କମାଣ୍ଡୋ ଓ ଏନ୍‌ଏସ୍‌ଜି (ଜାତୀୟ ସୁରକ୍ଷା ବାହିନୀ)ଙ୍କୁ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି।

ମେରାଇନ କମାଣ୍ଡୋ ବା ମାର୍କୋମାନଙ୍କୁ ଡାଲ ହ୍ରଦରେ ଶେର-ଏ-କାଶ୍ମୀର ଇଣ୍ଟରନ୍ୟାସନାଲ କନଭେନ୍ସନ ସେଣ୍ଟର (ଏସ୍‌କେଆଇସିସି)ରେ ମୁତୟନ କରାଯାଇଛି, ଯେଉଁଠି ଜି୨୦ ସମ୍ମିଳନୀ ଅନୁଷ୍ଠିତ ହେଉଛି। ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ସହ ଏନ୍‌ଏସ୍‌ଜିମାନଙ୍କୁ ପୂରା ଅଞ୍ଚଳର ସୁରକ୍ଷା ଦାୟିତ୍ବ ଅର୍ପଣ କରାଯାଇଛି। ଗୁରୁବାର ଏନ୍‌ଏସ୍‌ଜି ପକ୍ଷରୁ ଲାଲ ଚୌକ ଅଞ୍ଚଳରେ ତଲାସି କରାଯାଇଥିଲା। ଅର୍ଦ୍ଧସାମରିକ ବାହିନୀ ହାଉସ୍‌ବୋଟ୍‌ଗୁଡ଼ିକରେ ପ୍ରବେଶ କରି ତଲାସି କରୁଛନ୍ତି। ଶ୍ରୀନଗରରେ ଜି୨୦ ସମ୍ମିଳନୀ ଆୟୋଜନ କରାଯିବାର ଉଦ୍ଦେଶ୍ୟ ହେଉଛି କାଶ୍ମୀରର ପର୍ଯ୍ୟଟନ ସମ୍ଭାବ୍ୟତା ବିଷୟରେ ସାରା ବିଶ୍ବକୁ ଅବଗତ କରାଇବା ଏବଂ ଜମ୍ମୁ-କାଶ୍ମୀର ଯେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ତାହା ସମସ୍ତଙ୍କୁ ଜଣାଇବା।

ad-week
Leave A Reply

Your email address will not be published.