ଶିମିଳିପାଳରେ ଫରେଷ୍ଟ ଗାର୍ଡଙ୍କୁ ହତ୍ୟା ଘଟଣାରେ ୩ ଗିରଫ…

add-all

ମୟୁରଭଞ୍ଜ :ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟ ଗାର୍ଡ ବିମଳ କୁମାର ଜେନାଙ୍କୁ ଗୁଳି କରି ହତ୍ୟା ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ମୟୂରଭଞ୍ଜ ପୁଲିସର ସ୍ଵତନ୍ତ୍ର ଟିମ୍ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରି ଆଜି ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗିରଫ ବ୍ୟକ୍ତିମାନେ ହେଲେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବଡ଼ଗାଁ ପଞ୍ଚାୟତ ଗେଣ୍ଡା ପୋଖରୀର ଶୁକଲାଲ ମାରାଣ୍ଡି ଓ କୁଇଲିଡିହା ଅଞ୍ଚଳର ଦୁଗୁଲି ସିଂ ଏବଂ ବୁଦ୍ଧଦେବ ସିଂ। ବୁଦ୍ଧଦେବ ଜଣେ ପୂର୍ବତନ ସରପଞ୍ଚ ବୋଲି ଜଣାପଡ଼ିଛି। ପ୍ରତିଶୋଧ ପରାୟଣ ହୋଇ ବିମଳଙ୍କୁ ଅଭିଯୁକ୍ତମାନେ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି। 

ଗତ ସୋମବାର ଦିନ ଶିମିଳିପାଳ ଅଭୟାରଣ୍ୟର ନଅଣା ସାଉଥ୍ ରେଞ୍ଜରେ ପାଟ୍ରୋଲିଂ ବେଳେ ବନକର୍ମଚାରୀ ଓ ଏହି ଶିକାରୀମାନେ ସାମ୍ନାସାମ୍ନି ହୋଇଥିଲେ। ଶିକାରୀମାନେ ବନ କର୍ମଚାରୀଙ୍କୁ ଦେଖି ଘଟଣାସ୍ଥଳରୁ ଖସି ପଳାଇଥିଲେ। ଶିକାରୀମାନେ ଛାଡ଼ି ପଳାଇଥିବା ଦେଶୀ ବନ୍ଧୁକ, ଦୁଇଟି ମୃତ ବାରାହା ଏବଂ ତିନୋଟି କୁଟୁରାକୁ ବନକର୍ମଚାରୀମାନେ ଜବତ କରିଥିଲେ। ସେହି ବନକର୍ମଚାରୀଙ୍କ ମଧ୍ୟରେ ବିମଳ କୁମାର ଜେନା ବି ଥିଲେ। ଏହି ଘଟଣାରେ ଶିକାରୀମାନେ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲେ। ପରେ ଫରେଷ୍ଟ ଗାର୍ଡ ବିମଳଙ୍କୁ ଜଙ୍ଗଲରେ ଏକୁଟିଆ ପାଇ ଏହି ଶିକାରୀମାନେ ଗୁଳିକରି ହତ୍ୟା କରିଥିଲେ। 

ଫରେଷ୍ଟ ଗାର୍ଡ ବିମଳ କୁମାର ଜେନାଙ୍କୁ ହତ୍ୟା କରାଯିବା ପରେ ଶିକାରୀମାନଙ୍କୁ ଧରିବାକୁ ମୟୂରଭଞ୍ଜ ପୁଲିସ ପାଞ୍ଚ ଜଣିଆ ଟିମ୍ ଗଠନ କରିଥିଲା।ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଶେଷରେ ଆଜି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।

ad-week
Leave A Reply

Your email address will not be published.