ରେସଲରଙ୍କ ପାଇଁ କାଲି ଚାଷୀ ସଂଗଠନର ବଡ଼ ମହାପଞ୍ଚାୟତ…

add-all

ନୂଆଦିଲ୍ଲୀ : ଦେଶର ଷ୍ଟାର ରେସଲରମାନେ କରୁଥିବା ବିକ୍ଷୋଭ ଉପରେ ବଡ଼ ନିଷ୍ପତ୍ତି ନେବାକୁ ଆସନ୍ତାକାଲି ଚାଷୀ ସଂଗଠନ ପକ୍ଷରୁ ମହାପଞ୍ଚାୟତ ବସିବ। ଦୀର୍ଘ ମାସ ହେଲାଣି ରେସଲରମାନେ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣି ବିକ୍ଷୋଭ କରୁଛନ୍ତି। ଏହା ସତ୍ତ୍ୱେ ପୁଲିସ୍‌ ତାଙ୍କ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ।
ଏହାକୁ ଦୃଷ୍ଟିରେ ରଖି ଚାଷୀ ସଂଗଠନ ପକ୍ଷରୁ ଉତ୍ତର ପ୍ରଦେଶର ମୁଜାଫରନଗର ଅନ୍ତର୍ଗତ ସାଉରାମ ଠାରେ ମହାପଞ୍ଚାୟତ ଦିଆଯାଇଛି। ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ତଥା ବାଲୟାନ ଖାପର ମୁଖ୍ୟ ନରେଶ ଟିକାୟତ ମହାପଞ୍ଚାୟତ ଡାକିଛନ୍ତି। ଏହାର ମୁଖ୍ୟ ପ୍ରସଙ୍ଗ ହେଲା ରେସଲରମାନଙ୍କ ଆନ୍ଦୋଳନ। ଐତିହାସିକ ସାଉରାମ ଚୌପାଲରେ ବଡ଼ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।
ଏପ୍ରିଲ ୨୩ରୁ ଦିଲ୍ଲୀର ଯନ୍ତରମନ୍ତରେ ଆନ୍ଦୋଳଦନ କରୁଥିବା ରେସଲରମାନେ ନ୍ୟାୟ ଦାବି କରି ନିରାଶ ହେବାରୁ ହରିଦ୍ୱାର ସ୍ଥିତ ଗଙ୍ଗା ନଦୀରେ ନିଜର ପଦକ ସବୁ ଭସାଇ ଦେବାକୁ ମଙ୍ଗଳବାର ପହଞ୍ଚିଥିଲେ। ତେବେ ଠିକଣା ସମୟରେ ନରେଶ ଟିକାୟତ ଓ ଅନ୍ୟ ଚାଷୀ ନେତାମାନେ ସେମାନଙ୍କ ପାଖରେ ପହଞ୍ଚି ବୁଝାସୁଝା କରିଥିଲେ।
ଏହାପରେ ସେମାନେ ବ୍ରିଜ ଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ୫ ଦିନର ସମୟ ଦେଇଥିଲେ। ନରେଶ ଟିକାୟତ ଏ ସମ୍ପର୍କରେ ସୂଚନା ଦେବା ସହ ରେସଲରମାନଙ୍କ ଠାରୁ ସବୁ ମେଡାଲ ସଂଗ୍ରହ କରି ନିଜ ପାଖରେ ରଖିଥିଲେ।
ଏହି ଘଟଣାର ଦିନକ ପରେ ମହାପଞ୍ଚାୟତ ଡକା ଯାଇଛି। ଏଥିରେ ବିଭିନ୍ନ ଖାପର ପ୍ରତିନିଧି ଓ ସେମାନଙ୍କର ଉତ୍ତର ପ୍ରଦେଶ, ହରିଆଣା, ପଞ୍ଜାବ, ରାଜସ୍ଥାନ ଓ ଦିଲ୍ଲୀ ମୁଖ୍ୟମାନେ ଯୋଗଦେବେ। ରେସଲରମାନଙ୍କ ଆନ୍ଦୋଳନକୁ ନେଇ କ’ଣ ସବୁ ପଦକ୍ଷେପ ନିଆଯିବ, ତା’ର ନିଷ୍ପତ୍ତି ଏହି ମହାପଞ୍ଚାୟତରେ ନିଆଯିବ।

ad-week
Leave A Reply

Your email address will not be published.