ସିସୋଦିଆଙ୍କ ୬ ସପ୍ତାହର ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

add-all

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ।ସ୍ତ୍ରୀଙ୍କ ଅସୁସ୍ଥତା ଦର୍ଶାଇ ମନୀଷ ସିସୋଦିଆ ୬ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ। କିନ୍ତୁ, ଦିଲ୍ଲୀ ହାଇକୋର୍ଟ ଏହି ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ। ଆଜି ଏହା ଉପରେ ରାୟ ଶୁଣାଇ ସିସୋଦିଆଙ୍କୁ ୬ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ଦେବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ।
ଅନ୍ୟପକ୍ଷରେ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଅନ୍ତରୀଣ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିବା ସହିତ ସିସୋଦିଆଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ‘ଏଲ୍‌ଏନ୍‌ଜିପି’ ହସ୍ପିଟାଲ୍‌କୁ ପଚାରିଥିଲେ। ଅବସ୍ଥା ଗମ୍ଭୀର ଥିବା କଥା ହସ୍ପିଟାଲ ପକ୍ଷରୁ କୁହାଯିବା ପରେ କୋର୍ଟ କହିଛନ୍ତି ଯେ, “ସୀମା ସିସୋଦିଆଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ଏହି କୋର୍ଟ ନିର୍ଦ୍ଦେଶ ଦେଉଛି। ଯଦିଓ କେଉଁଠାରୁ ସେ ତାଙ୍କର ଚିକିତ୍ସା କରାଇବେ ଏହା ରୋଗୀ ଏବଂ ପରିବାର ସଦସ୍ୟଙ୍କ ପସନ୍ଦ, ତଥାପି ଏହି ଅଦାଲତ ଅଭିଭାବକ ଭାବେ ପରାମର୍ଶ ଦେଉଛି ଯେ ଏମ୍ସର ଡାକ୍ତରୀ ଅଧୀକ୍ଷକଙ୍କ ଦ୍ବାରା ଗଠିତ ଡାକ୍ତରୀ ବୋର୍ଡ ଦ୍ବାରା ତାଙ୍କ ଚିକିତ୍ସା କରାଯିବା ଉଚିତ୍”।
ଉଲ୍ଲେଖଯୋଗ୍ୟ, ଅସୁସ୍ଥ ସ୍ତ୍ରୀଙ୍କୁ ଭେଟିବା ଲାଗି ଶୁକ୍ରବାର ଦିନ ଦିଲ୍ଲୀ ହାଇକୋର୍ଟ ମନୀଷ ସିସୋଦିଆଙ୍କୁ ଶନିବାର ପୂର୍ବାହ୍ନ ୧୦ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜାମିନ ମଞ୍ଜୁର କରିଥିଲେ। କିନ୍ତୁ, ସେ ଘରେ ପହଞ୍ଚିବା ପୂର୍ବରୁ ସ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ (ସ୍ତ୍ରୀ) ତୁରନ୍ତ ଦିଲ୍ଲୀସ୍ଥିତ ‘ଏଲ୍‌ଏନ୍‌ଜେପି’ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହାଇକୋର୍ଟ ସ୍ପଷ୍ଟ କରି କହି‌ଥିଲେ ଯେ, ଏହି ଜାମିନ ସମୟରେ ସିସୋଦିଆ ତାଙ୍କ ବାସଭବନରେ ଗୃହବନ୍ଦୀ ଭାବେ ରହିବେ। ସେ ଗଣମାଧ୍ୟମକୁ କିଛି କହିବେ ନାହିଁ କିମ୍ବା ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଭେଟି ପାରିବେ ନାହିଁ। ଏହି କାରଣରୁ ସେ ନିଜ ପତ୍ନୀଙ୍କୁ ଡାକ୍ତରଖାନା ଯାଇ ଭେଟିପାରିନଥିଲେ।

ad-week
Leave A Reply

Your email address will not be published.