ହାତୀ ଆକ୍ରମଣରେ ୩ ମୃତ, ଜଣେ ଗୁରୁତର

add-all

ଅନୁଗୁଳ :ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଆଜି ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି।

ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ହମାମୀରା ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବୃଦ୍ଧା ଜଣଙ୍କ ହେଲେ ହମାମୀରା ଗାଁର ଚମ୍ପାବତି ସାହୁ (୬୫)। ସେହିପରି ଆହତ ବୃଦ୍ଧ ଜଣଙ୍କ ହେଲେ ଗାଁର ନେହରୁ ସାହୁ (୬୦)। ଆଜି ସକାଳେ ଉଭୟ ଆମ୍ବତୋଟାକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଘଟଣାସ୍ଥଳରେ ଚମ୍ପାବତିଙ୍କ ମୃତ୍ୟୁ ଘଟିଥିଲା।

ସେହିପରି ମୟୂରଭଞ୍ଜ ଜିଲ୍ଲାର ବାରିପଦା ରେଞ୍ଜ ଅଧୀନ ଶରତଚନ୍ଦ୍ରପୁର ଗାଁ ମୁଣ୍ଡ ଗଜଡ଼ି ଜଙ୍ଗଲରେ ଆଜି ସକାଳେ ହାତୀ ଆକ୍ରମଣରେ ସୀତା ଟୁଡୁ ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ୫୬ ବର୍ଷ ହୋଇଥିଲା। ସେ ଗାଁର ଅନ୍ୟ କିଛି ମହିଳାଙ୍କ ସହିତ ଜଙ୍ଗଲକୁ ଯାଇଥିଲେ। ତେବେ ସେମାନେ ଖସି ଆସିଥିଲେ ଓ ଗାଁ ଲୋକଙ୍କୁ ଘଟଣା ବିଷୟରେ କହିଥିଲେ। ହାତୀ ଘଟଣାସ୍ଥଳରୁ ଯିବା ପରେ ବନ କର୍ମଚାରୀ ମୃତଦେହକୁ ସେଠାରୁ ଉଦ୍ଧାର କରି ଗାଁକୁ ଆଣିଥିଲେ।

ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଆଜି ହାତୀ ଆତଙ୍କ ଦେଖିବାକୁ ମିଳିଛି। ଜିଲ୍ଲାର ଟାଙ୍ଗୀ ରେଞ୍ଜର ଦଲକ ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଦେବରାଜ ହରିଚନ୍ଦନ। ସେ ଭୋରରେ ଘର ବାହାରକୁ ଆସିଥିବା ବେଳେ ହାତୀ ସହିତ ତାଙ୍କର ସାମ୍ନାସାମ୍ନି ହୋଇଯାଇଥିଲା। ହାତୀ ତାଙ୍କୁ ଶୁଣ୍ଢରେ ଟାଣି ନେଇ ତଳେ କଚାଡ଼ି ଦେବା ପରେ ଦଳି ଦେଇଥିଲା ବୋଲି ଜଣାପଡ଼ିଛି। ଦେବରାଜଙ୍କ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା ଦେଖିବାକୁ ମିଳିଥିଲା।

ad-week
Leave A Reply

Your email address will not be published.