ବାହାନଗା ଟ୍ରେନ୍ ଦୁର୍ଘଟଣା: ଭଙ୍ଗା ଯିବ ଶବ ରଖାଯାଇଥିବା ସ୍କୁଲ

add-all

ଭଦ୍ରକ : ବାହାନଗା ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ମୃତଦେହ ଘଟଣା ଦିନ ବାହାନଗା ସ୍କୁଲରେ ରଖାଯାଇଥିଲା। ସ୍କୁଲରେ ଶତାଧିକ ଶବ ରଖାଯାଇଥିବାରୁ ଓ ଆଗକୁ ସ୍କୁଲ ଖୋଲିବାକୁ ଥିବାରୁ ପିଲାମାନଙ୍କ ମଧ୍ୟରେ ଭୟ ରହିଥିବା ଜଣାପଡ଼ିବା ପରେ ଏବେ ସେ ଦିଗରେ ପଦକ୍ଷେପ ନେବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର ଓ ଜିଲ୍ଲା ପ୍ରଶାସନ। ସ୍କୁଲ ପରିଚାଳନା କମିଟି ସ୍କୁଲ ଘରକୁ ଭାଙ୍ଗି ଦିଆଯାଉ ବୋଲି ଚାହୁଁଥିବା ବେଳେ ଜିଲ୍ଲା ପ୍ରଶାସନ ଏ ବିଷୟରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି କହିଛି।
ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କହିଛନ୍ତି, ଏହି ସ୍କୁଲର କିଛି ପୁରୁଣାଘରକୁ ଆମେ ଅସ୍ଥାୟୀ ଶବାଗାର ଭାବେ ବ୍ୟବହାର କରିଥିଲୁ। ତେଣୁ ପିଲାମାନଙ୍କ ମଧ୍ୟରେ ଟିକେ ଭୟ ରହିଛି ବୋଲି ସ୍କୁଲ ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ସେମାନେ ସ୍କୁଲ ଘରଟିକୁ ଭାଙ୍ଗିବାକୁ ଅନୁରୋଧ କରିଛନ୍ତି। ସେମାନଙ୍କ କହିବା କଥା ସ୍କୁଲ ଘରଟି ପୁରୁଣା ବି ହୋଇଗଲାଣି। ଏହା ଏକ ବନ୍ୟା ଓ ବାତ୍ୟା ଅଞ୍ଚଳ ହୋଇଥିବା ବେଳେ ତା’ ଉପରେ ଆଜବେଷ୍ଟସ ପଡ଼ିଛି। ତେଣୁ ମୁଁ ସେମାନଙ୍କୁ ଅନୁରୋଧ କରିଛି ଯେ ସ୍କୁଲ ଘର ଭାଙ୍ଗିବା ପାଇଁ ଯଦି ସ୍କୁଲ ପରିଚାଳନା କମିଟି ତା’ର ଦାବିକୁ ରିଜୋଲ୍ୟୁସନ ଆକାରରେ ଆମକୁ ଦେବ, ତା’ହେଲେ ଆମେ ସରକାରଙ୍କୁ ସେସଂପର୍କରେ ଜଣାଇବୁ। ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ ଆମେ ପଦକ୍ଷେପ ଗ୍ରହଣ କରିବୁ।
ଜିଲ୍ଲାପାଳଙ୍କ କହିବା ଅନୁଯାୟୀ, ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ମଧ୍ୟ ଉକ୍ତ ସ୍କୁଲ ଘରକୁ ଭାଙ୍ଗିବାକୁ ରାଜି ଅଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ସ୍କୁଲ ପରିଚାଳନା କମିଟି ତା’ର ରିଜୋଲ୍ୟୁସନ ଜିଲ୍ଲାପାଳଙ୍କ ପାଖକୁ ପଠାଇଲେ ତାକୁ ରାଜ୍ୟ ସରକାରଙ୍କ ପାଖକୁ ପଠାଇ ଦିଆଯିବ। ଲୋକଙ୍କ ଦାବି ନେଇ ସରକାର କିଛି ସକାରାତ୍ମକ ନିଷ୍ପତ୍ତି ନେଇପାରନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି।
ସ୍କୁଲ ପରିଚାଳନା କମିଟି ସଦସ୍ୟ ରାଜାରାମ ମହାପାତ୍ର କହିଛନ୍ତି ଯେ ଆମେ ସଂପୂର୍ଣ୍ଣ ସ୍କୁଲ ଘରକୁ ଭାଙ୍ଗି ଦେବାକୁ ଅନୁରୋଧ କରିଛୁ। ଏହାକୁ ସଂପୂର୍ଣ୍ଣ ଭାଙ୍ଗି ଦେଲେ ବି କୌଣସି ସମସ୍ୟା ହେବ ନାହିଁ। କାରଣ ‘ମୋ ସ୍କୁଲ’ ଯୋଜନାରେ ଏହି ସ୍କୁଲର ନୂଆ କୋଠା ନିର୍ମାଣାଧୀନ ରହିଛି। ନୂଆ କୋଠାର ଶ୍ରେଣୀ ଗୃହ କାର୍ଯ୍ୟ ଶେଷ ହୋଇଯାଇଛି। ସେଠାରେ ଲମ୍ବା ଲମ୍ବା ହଲ୍‌ ମଧ୍ୟ ଅଛି। ତେଣୁ ପିଲାଙ୍କ ପାଠପଢ଼ାରେ କିଛି ଅସୁବିଧା ହେବ ନାହିଁ।

ad-week
Leave A Reply

Your email address will not be published.