୨୫୦ କୋଟି ଟଙ୍କା ଖଣି ଦୁର୍ନୀତିର ପର୍ଦ୍ଦାଫାସ କଲା ଇଡି: ଏକାଧିକ ରାଜ୍ୟର ୨୭ଟି ସ୍ଥାନରେ ଚଢ଼ାଉ

add-all

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିହାରରେ ଦୁଇଟି ଘରୋଇ କମ୍ପାନି ସହ ଜଡ଼ିତ ୨୫୦ କୋଟି ଟଙ୍କାର ବେଆଇନ ଖଣି ଦୁର୍ନୀତିର ପର୍ଦ୍ଦାଫାସ କରିଛି। ଜାତୀୟ ଏଜେନ୍‌ସି ଇଡି ଏକିଧିକ ରାଜ୍ୟର ୨୭ଟି ସ୍ଥାନରେ ଚଢ଼ଉ କରି ନଗଦ ଦେଢ଼ କୋଟି ଟଙ୍କା ଓ ୧୧ କୋଟି ଟଙ୍କାର ସମ୍ପତ୍ତି କାଗଜପତ୍ର ଜବତ କରିଛି।
ହସ୍ତଗତ ରିପୋର୍ଟରୁ ପ୍ରକାଶ, ବିହାରର ପାଟନାସ୍ଥିତ ବ୍ରଡସନ୍‌ କମୋଡିଟିଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ଆଦିତ୍ୟ ମଲ୍‌ଟିକମ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦେଶକ ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରେ ଚଢ଼ାଉ କରାଯାଇଥିଲା। ଧନବାଦ, ଝାଡ଼ଖଣ୍ଡର ହଜାରୀବାଗ ଓ କୋଲକାତାରେ ମଧ୍ୟ ଚଢ଼ାଉ କରିଛି ତଦନ୍ତକାରୀ ସଂସ୍ଥା ଇଡି। ଚଢ଼ାଉ ସମୟରେ ଅଧିକାରୀମାନେ ୬ କୋଟି ଟଙ୍କାର ସ୍ଥାୟୀ ବ୍ୟାଙ୍କ ଜମା (ଫିକ୍ସଡ୍‌ ଡିପୋଜିଟ୍‌) ଜବତ କରିବା ସହ ୬୦ଟି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ (ଫ୍ରିଜ୍‌) କରିଛନ୍ତି।
କମ୍ପାନି ଏବଂ ଏହାର ନିର୍ଦ୍ଦେଶକଙ୍କ ବିରୋଧରେ ବିହାର ପୁଲିସ ଦ୍ୱାରା ରୁଜୁ ହୋଇଥିବା ବିଭିନ୍ନ ଏଫଆଇଆର ଆଧାରରେ ଇଡି ଏହି ତଦନ୍ତ ଆରମ୍ଭ କରିଥିଲା। ବେଆଇନ ବାଲି ଖନନ ଏବଂ ବିହାର ଖଣି କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ହୋଇଥିବା ବିଭାଗୀୟ ପ୍ରି-ପେଡ୍‌ ପରିବହନ, ଇ-ଚାଲାଣ ବ୍ୟବହାର ନକରି ବେଆଇନ ବାଲି ଉତ୍ତୋଳନ ଏବଂ ଏହାର ବିକ୍ରୟ ପାଇଁ ବିହାରର ଖଣି ବିଭାଗ ପକ୍ଷରୁ ସରକାରୀ ରାଜକୋଷକୁ ୨୫୦ କୋଟି ଟଙ୍କାର ରାଜସ୍ୱ କ୍ଷତି ପହଞ୍ଚାଇବା ଅଭିଯୋଗରେ ବିହାରର ଖଣି ବିଭାଗ ପକ୍ଷରୁ ଏତଲା ରୁଜୁ କରାଯାଇଥିଲା।
ଏହି ସର୍ଚ୍ଚ ଅପରେସନ କାଳରେ ନଗଦ ଟଙ୍କା, କ୍ରୟ କରାଯାଇଥିବା ସମ୍ପତ୍ତିର ବିକ୍ରୟ ପତ୍ର, କମ୍ପାନି ଓ ଏହାର ନିର୍ଦ୍ଦେଶକଙ୍କ ନାମରେ ଏଫଡିଆର ଭଳି ଆପତ୍ତିଜନକ କାଗଜପତ୍ର ମିଳିଛି। ଚଢ଼ାଉ ବେଳେ ମିଳିଥିବା ଅନ୍ୟ ଆପତ୍ତିଜନକ ଦଲିଲ୍‌ ଏବଂ ଡିଜିଟାଲ୍‌ ସାମଗ୍ରୀକୁ ମଧ୍ୟ ଅଧିକ ପଚରାଉଚରା ପାଇଁ ଜବତ କରାଯାଇଛି ବୋଲି ଇଡି କହିଛି।

ad-week
Leave A Reply

Your email address will not be published.