ବାହାନଗା ଟ୍ରେନ ଟ୍ରାଜେଡି: ତଦନ୍ତର ସପ୍ତାହକ ପରେ ସନ୍ଦିଗ୍ଧଙ୍କ ବିରୋଧରେ ଠୋସ ପ୍ରମାଣ ମିଳିଛି

add-all

ଭୁବନେଶ୍ୱର : ବାହାନଗା ଟ୍ରେନ ଟ୍ରାଜେଡିର କାରଣ ଖୋଜୁଛି ସିବିଆଇ। ତଦନ୍ତର ସପ୍ତାହକ ପରେ ସନ୍ଦିଗ୍‌ଧଙ୍କ ବିରୋଧରେ ଠୋସ ପ୍ରମାଣ ପାଇଥିବା କୁହାଯାଇଛି। ଷ୍ଟେସନର ଆସିଷ୍ଟାଣ୍ଡ ମ୍ୟାନେଜର ଓ ସିଗ୍‌ନାଲ ଇନ୍‌ଚାର୍ଜଙ୍କୁ ମାରାଥନ ଜେରା କରି ବହୁ ତଥ୍ୟ ସିବିଆଇ ହାସଲ କରିଥିବା ଜଣାପଡ଼ିଛି। ବାହାନଗା ଷ୍ଟେସନରେ ଛାନବିନ କରି ଉଭୟଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ହାସଲ କରିଛି। ଖୁବ ଶୀଘ୍ର ସିବିଆଇ ସେମାନଙ୍କୁ ଗିରଫ କରିପାରେ ବୋଲି ଜଣାପଡ଼ିଛି। ଗତକାଲି ସିବିଆଇ ବାହାନଗା ଷ୍ଟେସନର ୫ଜଣ କର୍ମଚାରୀଙ୍କୁ ନିଜ ହେପାଜତକୁ ନେଇଥିଲା। ସେମାନଙ୍କୁ ଚାନ୍ଦିପୁରର ଏକ ଅଜ୍ଞାତ ସ୍ଥାନରେ ଅଲଗା ଅଲଗା ରଖାଯାଇ ପଚରାଉଚରା ଜାରି ରହିଛି। ଆସିଷ୍ଟାଣ୍ଟ ଷ୍ଟେସନ ମ୍ୟାନେଜର ଓ ସିଗ୍‌ନାଲ ଇନ୍‌ଚାର୍ଜଙ୍କ ଭୂମିକା ଧରିପଡ଼ିସାରିଥିବା ବେଳେ ଅନ୍ୟ ୫ଜଣଙ୍କ ଭୂମିକା ଖୋଜୁଛି ସିବିଆଇ। ତଦନ୍ତ ଚାଲିଥିବାରୁ ସିବିଆଇ ଟିମ୍‌ ଆଉ କିଛି ଦିନ ବାଲେଶ୍ୱରରେ ରହିବ ବୋଲି ଜଣାପଡ଼ିଛି।

ସେପଟେ ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ମୃତ୍ୟୁ ପ୍ରମାଣପତ୍ରକୁ ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପାଖକୁ ପଠାଇଛନ୍ତି ବାଲେଶ୍ୱର ଜିଲ୍ଲାପାଳ। ଏହାକୁ ଅନ୍ୟ ରାଜ୍ୟ ଓ ଜିଲ୍ଲାପାଳଙ୍କ ନିକଟକୁ ପଠାଯିବ। ମୃତକଙ୍କ ସଂପର୍କୀୟ ମାନେ ଏହାକୁ ସେମାନଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପାଇପାରିବେ ବୋଲି କୁହାଯାଇଛି।

ସେହିଭଳି ଆଜି ଦୁର୍ଘଟଣା ଘଟିବାର ୧୨ ଦିନ ହୋଇଥିବା ବେଳେ ବାହାନଗା ସ୍କୁଲ୍‌ ପଡ଼ିଆରେ ୩ ଦିନ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆଜି ରେଳ ଦୁର୍ଘଟଣାରେ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ଦ୍ୱାଦଶ କ୍ରିୟା କାମ ହୋଇଥିଲା । ଗାୟତ୍ରୀ ପରିବାର ପକ୍ଷରୁ ଚନ୍ଦନ ପୋଖରୀରୁ ୧୦୮ କଳସ ଜଳ ଅଣାଯାଇଥିଲା । ଦ୍ୱାଦଶ କାର୍ଯ୍ୟରେ ପୂଜାକାର୍ଯ୍ୟ ପାଇଁ ଆଚାର୍ଯ୍ଯ ଓ ପଣ୍ଡିତ ମାନେ ଯୋଗ ଦେଇଥିଲେ ।ସେହିପରି ନାମ ହରିନମା କୀର୍ତ୍ତନ ଓ ନାମ ସଙ୍କୀର୍ତ୍ତନ ଚାଲିଥିଲା । ପ୍ରସାଦ ସେବନ ସହିତ ସନ୍ଧ୍ୟ୍ରାରେ ୫୦୦୮ ଦୀପ ପ୍ରଜ୍ଜଳନ ,ଅମୃତଧାରା ସହିତ ଅସହାୟ ଙ୍କ ପାଇଁ ବସ୍ତ୍ର ଓ ଶୁଖିଲା ଖାଦ୍ୟ ବଣ୍ଟନ କରିବାର କାର୍ଯ୍ଯକ୍ରମ ରହିଛି ।

ad-week
Leave A Reply

Your email address will not be published.