‘ମନି ଲଣ୍ଡରିଙ୍ଗ୍‌’ ଅଭିଯୋଗରେ ଗିରଫ ହୋଇଥିବା ତାମିଲନାଡୁ ମନ୍ତ୍ରୀଙ୍କୁ ‘ବାଇପାସ୍‌ ସର୍ଜରି’ ପାଇଁ ପରାମର୍ଶ

add-all

ଚେନ୍ନାଇ: ‘ମନି ଲଣ୍ଡରିଙ୍ଗ୍‌’ ଅଭିଯୋଗରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ଦ୍ବାରା ଗିରଫ ହେବା ପରେ ଡାକ୍ତରଖାନାକୁ ନିଆଯାଇଥିବା ତାମିଲନାଡୁ ମନ୍ତ୍ରୀ ଭି. ସେନ୍ଥିଲ୍‌ ବାଲାଜୀଙ୍କୁ ତୁରନ୍ତ ‘ବାଇପାସ୍‌ ସର୍ଜରି’ କରାଇବା ଲାଗି ଆଜି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।
ଯେଉଁ ଡାକ୍ତରଖାନାରେ ବାଲାଜୀଙ୍କର ଚିକିତ୍ସା ଚାଲିଛି ସେଠାକାର ଡାକ୍ତରମାନେ କହିଛନ୍ତି ଯେ, ତାଙ୍କ ଦେହରେ ‘ଟ୍ରିପଲ୍‌ ଭେସେଲ୍‌ ଡିଜିଜ୍’ ଦେଖା ଦେଇଛି। ସେଥିପାଇଁ ଯଥାଶୀଘ୍ର ‘ସିଏବିଜି-ବାଇପାସ୍‌’ ସର୍ଜରି ଆବଶ୍ୟକ।
ଗତରାତିରେ ଗିରଫ ହୋଇ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ହାଜତକୁ ଯିବା ବେଳେ ଛାତିରେ ଯନ୍ତ୍ରଣା ହେଉଛି ବୋଲି କହି ବାଲାଜୀ କାନ୍ଦି ପକାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ ଡାକ୍ତରଖାନା ଯାଇ ବାଲାଜୀଙ୍କୁ ଭେଟିଥିଲେ। କ୍ୟାବିନେଟ୍‌ ସହଯୋଗୀଙ୍କୁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଗିରଫ କରିଥିବାରୁ ‌ଷ୍ଟାଲିନ୍‌ ‘ବିଜେପି’କୁ ଆହୁରି ତୀବ୍ର ସମାଲୋଚନା କରି କହିଲେ, ସେମାନେ ଚାପଗ୍ରସ୍ତ କରି ବାଲାଜୀଙ୍କ ଛାତିରେ ଯନ୍ତ୍ରଣା କରାଇ ଦେଲେ।
ମଙ୍ଗଳବାର ଦିନ ବାଲାଜୀଙ୍କ ଘରେ ଚଢ଼ଉ ଓ ତଲାସ କରିବା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ ମଧ୍ୟରାତ୍ର ପରେ ‘ଡିଏମ୍‌କେ’ ନେତା ତଥା ଶକ୍ତି ତଥା ଅବକାରୀ ମନ୍ତ୍ରୀ ଭି. ସେନ୍ଥିଲ୍‌ ବାଲାଜୀଙ୍କୁ ଜେରା କରିବା ପାଇଁ ହାଜତକୁ ନେଇଥିଲେ।
ଛାତିରେ ଯନ୍ତ୍ରଣା ହେଉଛି କହିବାରୁ କଡ଼ା ପହରା ମଧ୍ୟରେ ରାତାରାତି ତାଙ୍କୁ ଚେନ୍ନାଇସ୍ଥିତ ଓମାନ୍ଦୁରାର ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ‘ଇଣ୍ଟେନ୍‌ସିଭ୍‌ କେୟାର୍‌ ୟୁନିଟ୍‌’ରେ ଭର୍ତ୍ତି କରାଯାଇଥିଲା।
ସୂଚନାଯୋଗ୍ୟ, ବାଲାଜୀଙ୍କ ନାମରେ ଆଗତ ଅଭିଯୋଗ ହେଉଛି ୨୦୧୧-୧୫ ସମୟର ଘଟଣା। ସେତେ‌ବେଳେ ସେ ‘ଅଲ୍‌ ଇଣ୍ଡିଆ ଅନ୍ନା ଦ୍ରାବିଡ଼ ମୁନ୍ନେତ୍ର କଜ୍‌ଗମ୍‌’ ନେତୃତ୍ବାଧୀନ ସରକାରରେ ପରିବହନ ମନ୍ତ୍ରୀ ଥିଲେ। ଅଭିଯୋଗ ହୋଇଛି କି, ଚାକିରି ‌ଦିଆଯିବ ବୋଲି କୁହାଯାଇ ପ୍ରାର୍ଥୀମାନଙ୍କଠାରୁ କୋଟି କୋଟି ଟଙ୍କା ନିଆଯାଇଥିଲା। କିନ୍ତୁ, କାହାକୁ ଚାକିରି ଦିଆଯାଇ ନ ଥିଲା।

ad-week
Leave A Reply

Your email address will not be published.