ନୟାଗଡ଼ର ପୂର୍ବତନ ସିଏସଓଙ୍କ ଅଚଳାଚଳ ସମ୍ପତ୍ତି, ଭୁବନେଶ୍ୱରରେ ୫ କୋଠା…

କଟକ: ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଆଜି ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ (ଏବେ ନିଲମ୍ବିତ ହୋଇ ରହିଛନ୍ତି) ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ତାଙ୍କର ସଂପତ୍ତି ଦେଖି ଭିଜିଲାନ୍ସ ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଶ୍ରୀ ନାୟକ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଭୁବନେଶ୍ୱରରେ ୫ଟି କୋଠା ରହିଛି। ଭୀମଟାଙ୍ଗୀ ହାଉସିଂ କଲୋନୀରେ ତାଙ୍କର ଏକ ଦୁଇ ମହଲା କୋଠା ଥିବା ବେଳେ ରାଜାରାଣୀ କଲୋନୀ ପାଖରେ ଦୁଇଟି ତିନି ମହଲା କୋଠା ଏବଂ ଲୁଇସ ରୋଡ୍ ଓ ଶିଶୁପାଳଗଡ଼ରେ ଗୋଟିଏ ଲେଖାଏ କୋଠା ରହିଛି।

ପୁରୀ ଜିଲ୍ଲା ନିମାପଡ଼ାର ସୁନୁଗୋରଡ଼ିରେ ତାଙ୍କର ଏକ ଫାର୍ମ ହାଉସ ରହିଛି। ନିମାପଡ଼ାରେ ତାଙ୍କର ଏକ ମାର୍କେଟ କମ୍ପ୍ଲେକ୍ସ ଅଛି, ଯେଉଁଥିରେ ୧୦ଟି ଦୋକାନ ଅଛି। ସେଠାରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ସେ ଏକ ହଲ୍ ଭଡ଼ାରେ ଦେଇଛନ୍ତି ଯାହା ୨୦୦୦ ବର୍ଗଫୁଟର ହେବ। ତାଙ୍କର ଏହି ସବୁ ଘର, ଫାର୍ମହାଉସ୍ ଓ ମାର୍କେଟ କମ୍ପ୍ଲେକ୍ସର ମୂଲ୍ୟ କେତେ ହେବ, ସେ ନେଇ ହିସାବ ଜାରି ରହିଛି।

ବ୍ୟାଙ୍କରେ ଶ୍ରୀ ନାୟକଙ୍କର ୬୦ ଲକ୍ଷ ଟଙ୍କା ଜମା ରହିଛି। ତାଙ୍କର ଗୋଟିଏ ଚାରି ଚକିଆ ଗାଡ଼ି (Honda Amaze) ଓ ୨ଟି ଦୁଇ ଚକିଆ ଗାଡ଼ି ଅଛି। ଭିଜିଲାନ୍ସର ଚଢ଼ାଉ ଜାରି ରହିଛି। ତାଙ୍କର ଆହୁରି ଅନେକ ସଂପତ୍ତି ଥିବା ସନ୍ଦେହ କରାଯାଉଛି।

ଭିଜିଲାନ୍ସର ୨ ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ଓ ପୁରୀର ମୋଟ ୫ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି।

ad-week
Leave A Reply

Your email address will not be published.