ନିମ୍ନମାନର ଆନ୍ତର୍ଜାତିକ ରାଜନୈତିକ ସ୍ବାର୍ଥ: ଚୀନ୍‌କୁ ସମାଲୋଚନା କରି କହିଲା ଭାରତ

add-all

ନୂଆଦିଲ୍ଲୀ: ୨୬/୧୧ର ‘ମାଷ୍ଟର୍‌ମାଇଣ୍ଡ୍‌’ ତଥା ପାକିସ୍ତାନସ୍ଥିତ ‘ଲଶ୍କର୍‌-ଏ-ତୈବା’ର ଆତଙ୍କବାଦୀ ସାଜିଦ୍‌ ମିର୍‌ଙ୍କୁ କଳାତାଲିକାଭୁକ୍ତ କରିବା ପାଇଁ ଜାତିସଂଘରେ ଭାରତ ଓ ଆମେରିକା ମିଳିତଭାବେ ଉପସ୍ଥାପନ କରିଥିବା ପ୍ରସ୍ତାବକୁ ‘ବ୍ଲକ୍‌’ କରିଥିବା ଚୀନ୍‌କୁ ସମାଲୋଚନା କରି ଭାରତ କହିଛି ଯେ, ଏହା ତୁଚ୍ଛ ଆନ୍ତର୍ଜାତିକ ରାଜନୈତିକ ସ୍ବାର୍ଥସମ୍ବଳିତ କାର୍ଯ୍ୟ।
ଜାତିସଂଘର ଆତଙ୍କବାଦ ମୁକାବିଲା ଅଭିଯାନରେ ଉଦ୍‌ବୋଧନ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର (ୟୁଏନ୍‌ ପଲିଟିକାଲ୍‌) ଯୁଗ୍ମ ସଚିବ ପ୍ରକାଶ ଗୁପ୍ତା କହିଛନ୍ତି, ବ‌ୈଶ୍ବିକ ଆତଙ୍କବାଦ ମୁକାବିଲା ବ୍ୟବସ୍ଥାରେ ପ୍ରକୃତରେ କିଛି ତ୍ରୁଟି କରାଯାଉଥିବା କଥା ଆମର ହୃଦ୍‌ବୋଧ ହେଉଛି। ତୁଚ୍ଛ ଆନ୍ତର୍ଜାତିକ ରାଜନୈତିକ ସ୍ବାର୍ଥ ପାଇଁ ଆମେ ଯଦି ଜାତିସଂଘଦ୍ବାରା ବିଶ୍ବବ୍ୟାପି ନିଷିଦ୍ଧ ଘୋଷିତ ଆତଙ୍କବାଦୀଙ୍କୁ କଳାତାଲିକାଭୁକ୍ତ କରିପାରିବା ନାହିଁ, ତେବେ ଆତଙ୍କବାଦର ଆହ୍ବାନକୁ ନିଷ୍ଠାର ସହିତ ମୁକାବିଲା କରିବା ଲାଗି ଆମର ସଚ୍ଚା ରା‌ଜନୈତିକ ଉଦ୍ଦେଶ୍ୟ ନାହିଁ ବୋଲି ଜାଣିବାକୁ ହେବ।
ଚୀନ୍‌କୁ ତୀବ୍ର ସମାଲୋଚନା କରି ଭାରତ ଆହୁରି ମଧ୍ୟ କହିଛି, ଆତଙ୍କବାଦ ବାବଦରେ ଦୋମୁହାଁ ନୀତି ପରିହାର କରିବା ସହିତ ଆତଙ୍କବାଦୀମାନଙ୍କୁ ‘ଭଲ’ ଓ ‘ମନ୍ଦ’ ତାଲିକାଭୁକ୍ତ କରିବା ବନ୍ଦ କରାଯିବା ଆବଶ୍ୟକ। ଯାହା ହେଲେ ବି ଆତଙ୍କବାଦ କାଣ୍ଡ ହେଉଛି ଆତଙ୍କବାଦ କାଣ୍ଡ।
ଉଲ୍ଲେଖଯୋଗ୍ୟ, ଇସ୍‌ଲାମାବାଦର ସୁଖଦୁଃଖର ବନ୍ଧୁ ଚୀନ୍‌ ସବୁବେଳେ ପାକିସ୍ତାନର ଆତଙ୍କବାଦୀଙ୍କ ବିରୋଧରେ ଜ‌ାତିସଂଘରେ ଆଗତ କଳାତାଲିକା ପ୍ରସ୍ତାବ ଉପରେ ରହିତାଦେଶ ଜାରିକରୁଛି।

ad-week
Leave A Reply

Your email address will not be published.