ଆସାମରେ ଭୟଙ୍କର ବନ୍ୟା, ୫ ଲକ୍ଷ ଲୋକ ପ୍ରଭାବିତ

add-all

ଗୌହାଟୀ : ଅବିଶ୍ରାନ୍ତ ବର୍ଷା ଯୋଗୁ ଆସାମରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟା ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବ୍ରହ୍ମପୁତ୍ର ସମେତ ରାଜ୍ୟର ଏକାଧିକ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।
ବନ୍ୟା ସ୍ଥିତି ଭୟଙ୍କର ରୂପ ଧାରଣ କରିଥିବା ବେଳେ ଲୋକଙ୍କୁ ଆଶ୍ୱସ୍ତ ମିଳିବାର କୌଣସି ସମ୍ଭାବନା ନାହିଁ। କାରଣ ଭାରତୀୟ ପାଣିପାଗ ବିଭାଗ ରାଜ୍ୟରେ ଆଗାମୀ କିଛି ଦିନ ବର୍ଷାର ପ୍ରକୋପ ଜାରି ରହିବ ବୋଲି ସୂଚନା ଦେଇଛି। ଏଥିଯୋଗୁ ନଦୀଗୁଡ଼ିକର ଜଳସ୍ତର ଆହୁରି ବଢ଼ିବ।
ସରକାରୀ ତଥ୍ୟ ଅନୁସାରେ, ବନ୍ୟା ଯୋଗୁ ଉଡାଲଗୁରି ଜିଲ୍ଲାର ତାମୁଲପୁର୍‌ରେ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ବନ୍ୟା ଯୋଗୁ ମୋଟ ୪.୯୫ ଲକ୍ଷ ପ୍ରଭାବିତ ହୋଇଥିଲେ। ଏବେ ଆଉ କିଛି ସ୍ଥାନରେ ବନ୍ୟା ଜଳ ମଧ୍ୟ ପ୍ରବେଶ କରିବା ଆରମ୍ଭ କଲାଣି।
ବ୍ରହ୍ମପୁତ୍ର ନଦୀର ଜଳସ୍ତର ନେମାତିଘାଟ(ଜୋରହାଟ) ଓ ଧୁବ୍ରୀ ନିକଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସେହିପରି ପୁଥିମାରୀ, ପାଗଲାଗିୟା ଓ ମାନାସ ଭଳି ନଦୀର ଜଳସ୍ତର ମଧ୍ୟ ନାଲି ଗାର ଉପରେ ରହିଛି। ଲୋକଙ୍କ ଘରେ ପାଣି ପଶିଯିବାରୁ ସେମାନେ ସୁରକ୍ଷିତ ସ୍ଥାନକୁ ଯିବାକୁ ବାଧ୍ୟ ହୋଇଛନ୍ତି। ଲୋକଙ୍କ ମାଟି ଘର ମଧ୍ୟ ବନ୍ୟା ପାଣିରେ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି।
ବର୍ତ୍ତମାନ ସୁଦ୍ଧା ୧୬ଟି ଜିଲ୍ଲା ଓ ୪ଟି ଅନ୍ୟ ସବ ଡିଭିଜନ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି। ବନ୍ୟା ଦ୍ୱାରା ବଜାଲି ସବ୍‌ ଡିଭିଜନ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ୨.୬୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।
ରାଜ୍ୟର ୭ଟି ଜିଲ୍ଲାର ୮୩ଟି ରିଲିଫ କ୍ୟାମ୍ପରେ ୧୪ ହଜାର ଲୋକ ଆଶ୍ରୟ ନେଇଛନ୍ତି। ସେହିପରି ଆଉ ୭୯ ରିଲିଫ ବଣ୍ଟନ କେନ୍ଦ୍ରକୁ ମଧ୍ୟ ଚାଲୁ କରାଯାଇଛି।ବନ୍ୟା ଓ ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେବାରେ ଲାଗିଛି। ତେଣୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।
ଗ୍ରାମାଞ୍ଚଳରେ ବନ୍ୟା ପରିସ୍ଥିତି ବେକାବୁ ହୋଇଥିବା ବେଳେ ସହରାଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଅର୍ଦ୍ଧସାମରିକ ବାହିନୀ, ଏନଡିଆରଏଫ, ଏସଡିଆରଏଫ, ଅଗ୍ନିଶମ, ସିଭିଲ ଆଡମିନଷ୍ଟ୍ରେସନ, ଏନଜିଓ ଓ ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି।

ad-week
Leave A Reply

Your email address will not be published.