ଗୁଆହାଟୀରେ କାମାକ୍ଷାଙ୍କୁ ଦର୍ଶନ କଲେ କଙ୍ଗନା..

add-all

ମୁମ୍ବାଇ: ଗତ କିଛି ଦିନ ହେବ ବିଭିନ୍ନ ଧାର୍ମିକ ସ୍ଥାନ ଯାଉଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ। ଗତ ମାସରେ ସେ ବାବା କେଦାରନାଥ ଓ ହରିଦ୍ୱାର ଯାଇଥିବା ବେଳେ ଆଜି ସେ ଗୁଆହାଟୀର କାମାକ୍ଷା ଶକ୍ତି ପୀଠ ଯାଇ ମାଆ କାମାକ୍ଷାଙ୍କ ଦର୍ଶନ କରିଥିଲେ। ଯାହାର ଫଟୋ ସେ ତାଙ୍କର ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ତେବେ ସେ ବୁଧବାର ସକାଳେ ମନ୍ଦିରରେ ପହଞ୍ଚି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ସେ ଏକ ପର୍ପଲ ରଙ୍ଗର ଅନାରକଲି ସୁଟ ସହ ଏକ ନାଲି ରଙ୍ଗର ସ୍କାର୍ଫ ପିନ୍ଧି କପାଳରେ ଟିକା ଏବଂ ବେକରେ ଫୁଲମାଳ ପିନ୍ଧିଥିବା ନଜର ଆସିଛନ୍ତି। ତେବେ ସେ ଏହି ଭିଡିଓ କ୍ୟାପ୍ସନରେ ଲେଖିଛନ୍ତି, ‘ଆଜି କାମାକ୍ଷା ମାଆଙ୍କ ମନ୍ଦିରକୁ ଯାଆନ୍ତୁ… ଏହି ମନ୍ଦିରରେ ଜଗତ ଜନନୀ ମାଆଙ୍କୁ ଯୋନି ରୂପରେ ପୂଜା କରାଯାଏ। ଏହା ହେଉଛି ମାଆଙ୍କ ଶକ୍ତିର ମହାନ ରୂପ ଯେଉଁଠାରେ ମାଆଙ୍କୁ ମାଂସ ଏବଂ ବଳି ଭୋଗ ଅର୍ପଣ କରାଯାଇ ଥାଏ, ଏହି ପବିତ୍ର ସ୍ଥାନ ଏକ ଶକ୍ତିପୀଠ … ଯେଉଁଠି ଶକ୍ତିର ଅଦ୍ଭୁତ ସଞ୍ଚାର ହେଉଛି… ଯଦି ଆପଣ କେବେ ଗୁଆହାଟୀ ଆସନ୍ତି, ତେବେ ନିଶ୍ଚୟ ଦର୍ଶନ କରନ୍ତୁ… ଜୟ ମାଆ।
କଙ୍ଗନା ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ଥାନ୍ତି। ସେ କୌଣସି ପ୍ରସଙ୍ଗରେ ନିଜର ସ୍ପଷ୍ଟ ମତ ପ୍ରକାଶ କରିଥାନ୍ତି। କଙ୍ଗନା ଖୁବଶୀଘ୍ର ଫିଲ୍ମ ‘ଇମର୍ଜେନ୍ସି’ରେ ନଜର ଆସିବେ। ଏହି ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ନିକଟରେ ଏହି ଫିଲ୍ମର ଟିଜର ରିଲିଜ ହୋଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିଜେ କଙ୍ଗନା ରାଣାୱତ। ଟିଜର ସହ ଫିଲ୍ମର ରିଲିଜ ଡେଟ ଘୋଷଣା କରାଯାଇଛି। ତେବେ ଏହି ଫିଲ୍ମ ‘ଇମର୍ଜେନ୍ସି’ ୨୪ ନଭେମ୍ବର ୨୦୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଫିଲ୍ମରେ କଙ୍ଗନାଙ୍କ ବ୍ୟତୀତ ଅନୁପମ ଖେରଙ୍କୁ ଦେଖିବାକୁ ମିଳିବ, ଯିଏ କି ଜୟପ୍ରକାଶ ନାରାୟଣଙ୍କ ଭୂମିକାରେ ନଜର ଆସିବେ। ଏହା ବ୍ୟତୀତ ଶ୍ରେୟସ ତଲପଡେ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ନଜର ଆସୁଥିବା ବେଳେ ମହିମା ଚୌଧୁରୀ ପୁପୁଲ୍ ଜୟକର ଭୂମିକାରେ ନଜର ଆସିପାରନ୍ତି। ମିଲିନ୍ଦ ସୋମନ ଫିଲ୍ଡ ମାର୍ଶାଲ ସାମ ମାନକେସାଓ ଭୂମିକାରେ ଏବଂ ବିଶାକ ନାୟାର ସଞ୍ଜୟ ଗାନ୍ଧିଙ୍କ ଭୂମିକାରେ ଅଭିନୟ କରୁଛନ୍ତି।

ad-week
Leave A Reply

Your email address will not be published.