ଡିୟୁ ଖାଲି ବିଶ୍ବବିଦ୍ୟାଳୟ ନୁହେଁ, ଏକ ଆନ୍ଦୋଳନ ମଧ୍ୟ: ପ୍ରଧାନମନ୍ତ୍ରୀ ମୋଦୀ

add-all

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଳୟ (ଡିୟୁ) କେବଳ ବିଶ୍ବବିଦ୍ୟାଳୟ ନୁହେଁ, ଗୋଟାଏ ଆନ୍ଦୋଳନ ବୋଲି ଆଜି ଏହାର ଶତବାର୍ଷିକୀ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ବିଶ୍ବବିଦ୍ୟାଳୟର ନର୍ଥ ବ୍ଲକ୍‌ରେ ତିନୋଟି ଅଟ୍ଟାଳିକା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଦିଲ୍ଲୀ ବିଶ୍ବବିଦ୍ୟାଳୟ, ଖାଲି ବିଶ୍ବବିଦ୍ୟାଳୟ ନୁହେଁ, ଏକ ଅନ୍ଦୋଳନ ମଧ୍ୟ। ଏ ବିଶ୍ବବିଦ୍ୟାଳୟ ପ୍ରତ୍ୟେକ ଆନ୍ଦୋଳନରେ ଅଂଶ ଗ୍ରହଣ କରି ସେ ଆନ୍ଦୋଳନଗୁଡ଼ିକୁ ଜୀବନ୍ତ କରିଛି। ଦିଲ୍ଲୀ ବିଶ୍ବବିଦ୍ୟାଳୟ ଶତବାର୍ଷିକୀ ପାଳନ କରୁଥିବା ବ‌େଳେ ଭାରତ ତା’ର ସ୍ବାଧୀନତାର ୭୫ତମ ବାର୍ଷିକୀ ପାଳନ କରୁଛି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଏକଦା ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ମାତ୍ର ୩ଟି ମହାବିଦ୍ୟାଳୟ ଥିଲା। ଏବେ ଏଥିରେ ୯୦ରୁ ଅଧିକ ମହାବିଦ୍ୟାଳୟ ରହିଛି। ସେହିପରି, ଦିନେ ଭାରତ ଦୁର୍ବଳ ଅର୍ଥନୈତିକ ରାଷ୍ଟ୍ର ମଧ୍ୟରେ ପରିଗଣିତ ହେଉଥିଲା କିନ୍ତୁ, ଆଜି ଏହା ବିଶ୍ବର ଶ୍ରେଷ୍ଠ ୫ ଅର୍ଥନୀତିରେ ସ୍ଥାନ ପାଇଛି। ଆଜି ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ପଢୁଥିବା ଝିଅମାନଙ୍କ ସଂଖ୍ୟା ପୁଅମାନଙ୍କଠାରୁ ଅଧିକ।

ସୂଚନାଯୋଗ୍ୟ, ଦିଲ୍ଲୀ ବିଶ୍ବବିଦ୍ୟାଳୟକୁ ଯିବା ପାଇଁ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧାରଣ ଜନତାଙ୍କ ସହିତ ମିଶି ଲୋକ କଲ୍ୟାଣ ମାର୍ଗ ମେଟ୍ରୋ ଷ୍ଟେସନ୍‌ରୁ ମେଟ୍ରୋରେ ବସି ବିଶ୍ବବିଦ୍ୟାଳୟ ମେଟ୍ରୋ ଷ୍ଟେସନ୍‌କୁ ଯାଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଗସ୍ତ ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୧୦୦୦ରୁ ଅଧିକ ପାରାମିଲିଟାରି ଏବଂ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି।

ad-week
Leave A Reply

Your email address will not be published.