
ଦାରିଙ୍ଗବାଡ଼ି,୩/୭ ଦାରିଙ୍ଗବାଡ଼ି ବ୍ଳକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଡ଼ମାହା ଗ୍ରାମର ମହେଶ୍ୱର ମାଝୀ ( ୫୦ବର୍ଷ ) ଙ୍କୁ ଗତ କାଲି ସନ୍ଧ୍ୟା ପ୍ରାୟ ଆଠ ଘଣ୍ଟା ସମୟରେ ଏକ ଧାରୁଆ ଛୁରୀ ଦ୍ୱାରା ଦୁର୍ବୃତ୍ତ ଗଳା କାଟି ନୃଶଂସ ଭାବେ ହତ୍ୟା କରିଛନ୍ତି । ବର୍ତ୍ତମାନ ଯାଏ ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପ୍ରାପ୍ତ ସୂଚନା ପ୍ରକାରେ ମୃତ୍ୟୁ ମହେଶ୍ୱର ମାଝି ଗତ କାଲି ନିଜ ସ୍ତ୍ରୀଙ୍କୁ ଘରଇ କାମରେ ସାହାଯ୍ୟ କରିବା ପରେ ବିଳମ୍ବିତ ସନ୍ଧ୍ୟା ସମୟରେ ସାହି ନିକଟରେ ଥିବା ତଥା ବିଲ ପାଖରେ ରହିଥିବା ଚୁଆଁ ପାଖକୁ ଶୌଚ କରିବା ଉଦ୍ଧେଶ୍ୟରେ ଯାଇଥିଲେ କିନ୍ତୁ ସେଠାରୁ ସେ ଫେରି ନଥିଲେ । ଘରକୁ ଆସିବାରେ ବିଳମ୍ବ ହେବାରୁ ଘର ଲୋକ ତଥା ପୁଅ ସାନୁରଞ୍ଜନ ଓ ଅନ୍ୟ ମାନଙ୍କୁ ନେଇ ଖୋଜାଖୋଜି କରିବା ପରେ ଏକ ବିଲ ପାଖ ବୁଦା ନିକଟରେ ରକ୍ତ ଜୁଡ଼ୁ ବୁଡ଼ୁ ମୃତ ଦେହକୁ ଠାବ କରିଥିଲେ । ଏହାପରେ ସାନୁରଞ୍ଜନ ସ୍ଥାନୀୟ ଲୋକଙ୍କ ସହାୟତାରେ ବ୍ରାହ୍ମଣୀଗାଁ ଥାନାକୁ ଲିଖିତ ଭାବରେ ଜଣାଇଥିଲେ । ଖବର ପାଇଁ ଆଜି ସକାଳେ ଥାନା ଅଧିକାରୀ ଚାପଧାରୀ ପ୍ରଧାନ ଓ ଏସ ଆଇ ଅମରେନ୍ଦ୍ର ସୁବୁଦ୍ଧି ଏକ ପୋଲିସ ବାହିନୀ ଧରି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଥିଲେ । ଏହାପରେ ଥାନା ଅଧିକାରୀଙ୍କ ସୂଚନାରେ ଘଟଣା ସ୍ଥଳରେ ଏକ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରାଯାଇଥିଲା । ସନ୍ଧାନୀ କୁକୁର ଘଟଣା ସ୍ଥଳର ଆଖପାଖରେ ବୁଲିବା ପରେ ଶୌଚ କରିବାକୁ ଯାଇଥିବା ଛୁଆରେ ବୁଲିବା ପରେ ପୁଣି ସାହିକୁ ଆସି ଏଣେ ତେଣେ ବୁଲିଥିଲା । ଏହି ଘଟଣାରେ ବ୍ରାହ୍ମଣୀଗାଁ ଥାନା କେସ ନଂ-୭୮/୨୩ରେ ମକଦମା ରୁଜୁକରି ମୃତ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରାହ୍ମଣୀଗାଁ ଅଣାଯାଇଛି । ଏହି ଘଟଣାରେ ତାଙ୍କ ପୁଅ ସାନୁରଞ୍ଜନ ପ୍ରଧାନ ବାପାଙ୍କ ହତ୍ୟା କାରୀଙ୍କୁ ପୋଲିସ ପ୍ରଶାସନ ନିରପେକ୍ଷ ତଦନ୍ତ କରି ତାଙ୍କୁ ନ୍ୟାୟ ଦେବାପାଇଁ ଅନୁରୋଧ କରିଛନ୍ତି । ସେହିପରି ଝିଞ୍ଜିରିଗୁଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ପ୍ରଧାନ ମଧ୍ୟ ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କୁ କଠିନରୁ କଠିନ ଦଣ୍ଡ ଦେବା ସହ ପରିବାରକୁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ସୂଚନା ଯେ ଉକ୍ତ ଗ୍ରାମରେ ଗତ ୨୦୧୦ ମସିହାରେ ଏହିଭଳି ଜଣେ ବ୍ୟକ୍ତିଙ୍କୁ ଗ୍ରାମର ଲୋକଙ୍କ ସମ୍ମୁଖରେ ଗଲାକାଟି ହତ୍ୟା କରି ପୁଣି ପୋଡ଼ି ଦେଇଥିଲେ । ଏହାପରେ ଗତ ମାର୍ଚ୍ଚ ମାସରେ ମଧ୍ୟ ଆଉ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଆତ୍ମାହତ୍ୟା ରୂପ ଦେଇଥିବା ଅନୁସନ୍ଧାନରୁ ସୂଚନା ରହିଛି ।