ଅବସରପ୍ରାପ୍ତ କର୍ମଚାରୀଙ୍କୁ ଠିକ୍ ସମୟରେ ପେନସନ ଦେବାକୁ ନିର୍ଦ୍ଦେଶ…

add-all

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଅବସର ପ୍ରାପ୍ତ କର୍ମଚାରୀମାନଙ୍କୁ ଠିକ ସମୟରେ ପେନସନ ପ୍ରଦାନ କରିବା ପାଇଁ ପଦକ୍ଷେପ ନିଆଯାଉ। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଆବଶ୍ୟକ କାଗଜ ପତ୍ର ପୂରଣରେ ବିଳମ୍ବ ହେଉଥିବାରୁ ସେମାନେ ପେନସନ ପାଇବାରୁ ବଞ୍ଚିତ ହେଉଥିବାରୁ ମୁଖ୍ୟ ଶାସନ ସଚିବ ଏହାକୁ ଗୁରୁତର ସହ ଗ୍ରହଣ କରିଛନ୍ତି। ବିଳମ୍ବ ପାଇଁ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ସବୁ ବିଭାଗର ପ୍ରଶାସନିକ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଦୀପ ଜେନା ଆହୁରି ମଧ୍ୟ କହିଛନ୍ତି ଯେ ପେନସନ ପ୍ରଦାନରେ ବିଳମ୍ବ ହେଲେ ଅବସରପ୍ରାପ୍ତ କର୍ମଚାରୀ ସେମାନଙ୍କ ପ୍ରାପ୍ୟ ଉପରେ ୧୮% ସୁଧ ପାଇବାକୁ ହକଦାର। ବିଳମ୍ବ ପାଇଁ ଅଧିକାରୀ ଦାୟୀ ରହିବେ ବୋଲି ସେ କହିଛନ୍ତି।

ମୁଖ୍ୟ ଶାସନ ସଚିବ ଦର୍ଶାଇଛନ୍ତି ଯେ ଓଡ଼ିଶା ସିଭିଲ୍ ସର୍ଭିସ୍ (ପେନସନ) ରୁଲ୍ ୧୯୯୨ ଅନୁଯାୟୀ ଅବସର ପରେ ପେନସନ୍ ଓ ଅନ୍ୟାନ୍ୟ ସୁବିଧା ସୁନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ। ତେବେ ବିଭିନ୍ନ ବିଭାଗରେ ବିଭିନ୍ନ ସ୍ତରରେ ପେନସନ ମାମଲା ପଡ଼ିରହିଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି ବୋଲି ସେ କହିଛନ୍ତି।

ଏହି ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ବିଭାଗଗୁଡ଼ିକ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସନ୍ତୋଷଜନକ ନୁହେଁ ବୋଲି ପ୍ରଦୀପ ଜେନା କହିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନକୁ ପାଳନ କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପେନସନ୍ ପ୍ରଦାନ କରିବା ପାଇଁ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ।

ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ ପ୍ରଦାନରେ ବିଳମ୍ବ ହେଉଥିବା ନେଇ ବିଭିନ୍ନ ମହଲରେ ଅଭିଯୋଗ ହେବା ପରେ ପ୍ରଦୀପ ଜେନା ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଏହି ନିର୍ଦ୍ଦେଶ ଫଳରେ ରାଜ୍ୟର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଠିକ୍ ସମୟରେ ପେନସନ୍ ପ୍ରଦାନରେ ସହାୟକ ହେବ ବୋଲି ଆଶା କରାଯାଉଛି।

ad-week
Leave A Reply

Your email address will not be published.