
ଦାରିଙ୍ଗବାଡ଼ି, ୮/୭ : ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳର ୮ ଗୋଟି ଗ୍ରାମ ପଞ୍ଚାୟତର ୧୬ଟି ଗ୍ରାମରେ ଜୈବିକ ପଦ୍ଧତିରେ ଚାଷ କରିବାକୁ ସେଚତନ କରି ଆସୁଛି ଉଦ୍ୟାନ ବିଭାଗ ସହାୟତା ପାଇ ଭୁବନେଶ୍ୱର ସ୍ଥିତ ଏସିୟାନ ଇଷ୍ଟିଟ୍ୟୁଟ ଅଫ ହ୍ୟୁମାନ ଡେଭଲପ ମେଣ୍ଟ ସଂସ୍ଥା। ଏହି ଅନୁଷ୍ଠାନ ଚାଷୀଙ୍କୁ ଉନ୍ନତ ମାନର ବିହନ ଯୋଗାଇ ଦେବା ନାଁରେ ଜୁଲାଇ ମାସ ପ୍ରଥମ ସପ୍ତାହରେ ଏହି ଅଞ୍ଚଳର ଚାଷୀଙ୍କୁ ଗୋଟିଏ ପକେଟରେ ରହୁଥିବା ୬୦ କେ.ଜି ଓଜନର ୩ ପକେଟ ମୋଟ ୧୮୦ କେ.ଜି ହଳଦୀ ବିହନ ମାଗଣାରେ ଜବର ଦସ୍ତ ଚାଷୀ ମାନଙ୍କୁ ଅବେଳାରେ ଯୋଗାଇଥିବା ଜଣା ପଡ଼ିଛି। ହେଲେ ହଳଦୀ ଓ ଅଦା ଚାଷ କରିବା ପାଇଁ ଉପଯୁକ୍ତ ସମୟ ମଇ ମାସ ବୋଲି ଚାଷୀ କହିଛନ୍ତି। ବିଳମ୍ବ ହେଲେବି ଜୁନ ମାସ ଦ୍ୱିତୀୟ ସପ୍ତାହ ସୁଧା ବିହନ ମିଳିଥିଲେବି ଚାଷ କରା ଯାଇ ପାରିଥାନ୍ତା ବୋଲି ଚାଷୀ ମାନେ ସୂଚନା ଦେଇଛନ୍ତି। ଏହା ସହିତ ଚାଷୀଙ୍କ ପାଇଁ ମାଗଣାରେ ଯୋଗାଇ ଦେବାକୁ ଆସିଥିବା ଅଦା ବିହନ କୁଆଡେ ଚାଷୀଙ୍କୁ ଦିଆ ଯାଇ ନଥିବା ଆଲୋଚନା ହେଉଛି। କାହିଁକିନା ଅଦା ବିହନ କିଲୋ ବଜାରରେ ସର୍ବନିମ୍ନ ୧୨୦ ଟଙ୍କା ରହିଛି। ଏହି ସଂସ୍ଥାରେ କାର୍ଯ୍ୟ ରତ ଥିବା ଆନିମେଟରଙ୍କୁ ପଚାରିବାରୁ ଅଦା ବିହନ ଆସିନାହିଁ ହଳଦୀ ବିହନହିଁ ଆସିଥିଲା କହିଛନ୍ତି। ଆଗକୁ ଚାଷୀଙ୍କ ପାଇଁ ବର୍ତ୍ତମାନ ଅଦା, ଆଳୁ, ଧନୀୟଆ, ଟମାଟ,ବାଇଗଣ ସହିତ ଶାଗ ବିହନ ଆସିବ ବୋଲି ସୂଚନା ଦେଇଛନ୍ତି। ଏହା ସହିତ ମାଗଣାରେ ଯୋଗାଇ ଦେବା ପାଇଁ ଆସୁଥିବା ସମସ୍ତ ବିହନ ଉପଯୁକ୍ତ ସମୟ ସହିତ ପଞ୍ଜିକୃତ ଚାଷୀଙ୍କୁ ସଠିକ ଭାବେ ଯୋଗାଇ ଦେବାକୁ ଚାଷୀଙ୍କ ଦାବୀ ରହିଛି।