ସ୍ୱାମୀ ବିବେକାନନ୍ଦ ଓ ରାମକୃଷ୍ଣ ପରମହଂସଙ୍କ ବିଷୟରେ ଅନୁପଯୁକ୍ତ ମନ୍ତବ୍ୟ ଦେଇ ଅଡୁଆରେ ଅମୋଘ ଲୀଲା ଦାସ

add-all

ନୂଆଦିଲ୍ଲୀ : ସ୍ୱାମୀ ବିବେକାନନ୍ଦ ଓ ରାମକୃଷ୍ଣ ପରମହଂସଙ୍କ ବିଷୟରେ ଅନୁପଯୁକ୍ତ ମନ୍ତବ୍ୟ ଦେବାରୁ ଇସ୍କନ (Iskcon) ଏହାର ଜଣେ ସାଧୁ ତଥା ପ୍ରବଚକ ଅମୋଘ ଲୀଲା ଦାସଙ୍କ ଉପରେ ମାସେ ପାଇଁ ପ୍ରତିବନ୍ଧକ ଲଗାଇଛି। ଆସନ୍ତା ଏକ ମାସ ପାଇଁ ତାଙ୍କୁ ଇସ୍କନରୁ ବ୍ୟାନ କରାଯାଇଛି।
ଅମୋଘ ଲୀଲା ଦାସ ହେଉଛନ୍ତି ଜଣେ ଜଣାଶୁଣା ପ୍ରବଚକ। ସୋଶାଲ ମିଡିଆରେ ତାଙ୍କର ଭିଡିଓ ଗୁଡ଼ିକ ବେଶ୍ ଲୋକପ୍ରିୟ। ତେବେ ନିକଟରେ ଏକ ପ୍ରବଚନ କାର୍ଯ୍ୟକ୍ରମରେ ସେ ସ୍ୱାମୀ ବିବେକାନନ୍ଦଙ୍କ ମତ୍ସ୍ୟ ଭକ୍ଷଣଙ୍କୁ ନେଇ ପ୍ରଶ୍ନ ଉଠାଇଥିଲେ। ଜଣେ ଧାର୍ମିକ ବ୍ୟକ୍ତି ଏମିତି କିଛି ଜିନିଷ ଭକ୍ଷଣ କରନ୍ତି ନାହିଁ, ଯାହା ଯେ କୌଣସି ପ୍ରାଣୀଧନଙ୍କୁ କଷ୍ଟ ଦେବ ବୋଲି ସେ କହିଥିଲେ।
ଅମୋଘ ଲୀଲା ଦାସ କହିଥିଲେ, କୌଣସି ସାଧୁ କେବେ କ’ଣ ମାଛ ଭକ୍ଷଣ କରିପାରନ୍ତି? ମାଛଟିଏ ବି ଯନ୍ତ୍ରଣା ଅନୁଭବ କରେ, ଠିକ୍‌? ତା’ହେଲେ ଜଣେ ଧାର୍ମିକ ବ୍ୟକ୍ତି ମାଛ ଭକ୍ଷଣ କରିବା ଉଚିତ୍ କି? ଏହି ପ୍ରବଚନ କାର୍ଯ୍ୟକ୍ରମରେ ସେ ସ୍ୱାମୀ ବିବେକାନନ୍ଦଙ୍କ ଗୁରୁ ରାମକୃଷ୍ଣ ପରମହଂସଙ୍କୁ ମଧ୍ୟ ସମାଲୋଚନା କରିଥିଲେ।
ତାଙ୍କର ଏଭଳି ମନ୍ତବ୍ୟକୁ ନେଇ ସୋଶାଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି ଇସ୍କନ ପକ୍ଷରୁ ସାଧୁ ଅମୋଘ ଲୀଲା ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଇସ୍କନ ପକ୍ଷରୁ କୁହାଯାଇଛି ଯେ ସ୍ୱାମୀ ବିବେକାନନ୍ଦ ଓ ରାମକୃଷ୍ଣ ପରମହଂସଙ୍କ ଉପରେ ଅମୋଘ ଲୀଲା ଦାସ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଅନୁପଯୁକ୍ତ ଓ ଆଦୌ ଗ୍ରହଣୀୟ ନୁହେଁ। ତାଙ୍କୁ ମାସେ ପାଇଁ ଇସ୍କନରୁ ବ୍ୟାନ କରାଯାଇଛି। ତାଙ୍କୁ ଏ ସଂପର୍କରେ ଜଣାଇ ଦିଆଯାଇଛି। ସେ ତାଙ୍କର ମନ୍ତବ୍ୟ ପାଇଁ ଅନୁତପ୍ତ। ସେ କେତେ ବଡ଼ ଭୁଲ କରିଛନ୍ତି, ତାହା ସେ ବୁଝି ପାରିଛନ୍ତି। ସେ ଏହି ଭୁଲ ପାଇଁ ପ୍ରାୟଶ୍ଚିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ସେ ଗୋବର୍ଦ୍ଧନ ପାହାଡ଼କୁ ଯାଇ ରହିବେ। ଏହି ସମୟ ମଧ୍ୟରେ ସେ ସାଧାରଣ ଜୀବନରୁ ନିଜକୁ ସଂପୂର୍ଣ୍ଣ ଭାବେ ଦୂରେଇ ରଖିବେ।

ad-week
Leave A Reply

Your email address will not be published.