ପ୍ରତି ମାସରେ ବରିଷ୍ଠ ଅଧିକାରୀ ବିଭିନ୍ନ ଡିସକମ୍ ବୁଲି ‘ଟାଟା ପାୱାର’ କାର୍ଯ୍ୟର ସମୀକ୍ଷା କରିବେ: ଓଇଆରସି

add-all

ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ୍‌ ବିଭ୍ରାଟ ନେଇ ଆସନ୍ତା ବର୍ଷ ଯେପରି ଏ ବର୍ଷ ଭଳି ଅବସ୍ଥା ନ ହୁଏ ସେନେଇ ଓଇଆରସି ତାଗିଦ୍‌ କରିଛି। ଟାଟା ପାୱାରର ବାର୍ଷିକ ପ୍ରଦର୍ଶନୀ ସମୀକ୍ଷା ପରେ ଓଇଆରସି ପକ୍ଷରୁ ସେବା ସୁଧାରିବାକୁ କହାଯାଇଛି । ଓଇଆରସି ନିର୍ଦ୍ଦେଶକ ପ୍ରିୟବ୍ରତ ପଟ୍ଟନାୟକ କହିଛନ୍ତି ଯେ, ନିର୍ଦ୍ଦିଷ୍ଟ ସମୟ ଭିତରେ କାମ ସାରିବାକୁ କିଛି ନିର୍ଦେଶ ଦିଆଯାଇଛି। ଆଗକୁ ପ୍ରତି ମାସରେ ବରିଷ୍ଠ ଅଧିକାରୀ ବିଭିନ୍ନ ଡିସକମ୍ (ବିଦ୍ୟୁତ ବିତରଣ କମ୍ପାନି) ବୁଲି ଟାଟା ପାୱାର କାର୍ଯ୍ୟର ସମୀକ୍ଷା କରିବେ। ଭିତ୍ତିଭୂମି ପାଇଁ ଦିଆଯାଇଥିବା ୧୯ ଶହ କୋଟି ଟଙ୍କାର ତୃତୀୟ ପକ୍ଷ ଅଡିଟ ହେବ। ଓଇଆରସିର ତଦାରଖରେ ଏହି ଅଡିଟ ହେବ। ଭିତ୍ତିଭୂମି ପାଇଁ ୫ ବର୍ଷରେ ୫ ହଜାର ୬୦୦ କୋଟି ଟଙ୍କା ଟାଟା ପାୱାରକୁ ଦିଆଯିବ। ଏହା ମଧ୍ୟରୁ ୧୯୦୦ କୋଟି ଟଙ୍କା ଟାଟା ପାୱାର ଖର୍ଚ୍ଚ କରିଛି।

ଅନ୍ୟପଟରେ ଟାଟା ପାୱାର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଅରବିନ୍ଦ ସିଂ କହିଛନ୍ତି, କାଳବୈଶାଖୀ ଯୋଗୁଁ ବାରମ୍ବାର ପାୱାର ଟ୍ରିପ ହୋଇଛି। ଚଳିତ ବର୍ଷ ୨୩୭ଟି କାଳବୈଶାଖୀ ହୋଇଛି। ବିତରଣ ବ୍ୟବସ୍ଥାରେ ସୁଧାର ପାଇଁ ଆମେ ଚେଷ୍ଟା କରୁଛୁ। ଆସନ୍ତାବର୍ଷକୁ ନେଇ ଆମକୁ ଯାହା ଟାସ୍କ ଦିଆଯାଇଛି ସେଇ ଲକ୍ଷ୍ୟ ପୂରଣ ଲାଗି କାମ କରିବୁ। ବର୍ତ୍ତମାନ ହାତରେ ଥିବା ଭିତ୍ତିଭୂମିକୁ ନେଇ ମଧ୍ୟ ଆମେ କାର୍ଯ୍ୟ କରୁଛୁ, ଆଗକୁ ଏହା ଅଧିକ ବିକଶିତ ହେବ। ଆମ ପାଖରେ ପରିସ୍ଥିତିର ମୁକାବିଲା ଲାଗି ଯଥେଷ୍ଟ ଲୋକବଳ ବି ରହିଛି। ତେଣୁ ଆଗକୁ ସେବା ଭଲ ରହିବ।

ad-week
Leave A Reply

Your email address will not be published.