୨ ଦିନିଆ ଫ୍ରାନ୍‌ସ୍‌ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

add-all

ନୂଆଦିଲ୍ଲୀ: ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌ଙ୍କ ନିମନ୍ତ୍ରଣକ୍ରମେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ଦିନିଆ ଫ୍ରାନ୍‌ସ୍‌ ଗସ୍ତରେ ଯାଇଛନ୍ତି।

ଜୁଲାଇ ୧୪ ତାରିଖ ଦିନ ସେ ବାର୍ଷିକ ‘ବାଷ୍ଟିଲ୍‌ ଡେ’ ପରେଡ୍‌’ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ଏହି ପରେଡ୍‌ରେ ଭାରତର ୩-ସେନା କଣ୍ଟିଜେଣ୍ଟ୍‌ର ୨୬୯ଜଣ ଯବାନ ଅଂଶଗ୍ରହଣ କରିବେ।

ଏହି କାର୍ଯ୍ୟକ୍ରମରେ ଫରାସୀ ଜେଟ୍‌ ସହିତ ଭାରତୀୟ ବାୟୁସେନାର ୩ଟି ରାଫେଲ୍‌ ଫାଇଟର୍‌ ଜେଟ୍‌ ମଧ୍ୟ ଯୋଗ ଦେଇ ‘ଫ୍ଲାଏପାଷ୍ଟ୍‌’ କରିବେ।

ଏହାଛଡ଼ା, ପ୍ରତିରକ୍ଷା, ମହାକାଶ, ବାଣିଜ୍ୟ ଓ ନିବେଶ ସମେତ ଅନେକ ପ୍ରକାରର ପ୍ରମୁଖ କ୍ଷେତ୍ର ସମ୍ବନ୍ଧୀୟ ସହଯୋଗିତାର ଅଗ୍ରଗତି ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌ଙ୍କ ସହିତ ଆଲୋଚନା କରିବେ।

ଫ୍ରାନ୍‌ସ୍‌ ଗସ୍ତ ସଂକ୍ରାନ୍ତରେ ଆଜି ପ୍ରତ୍ୟୁଷରେ ‘ଟୁଇଟ୍‌’ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ୟାରିସ୍‌ ଯାଉଛି। ସେଠାରେ ମୁଁ ‘ବାଷ୍ଟିଲ୍‌ ଡେ’ ସେଲିବ୍ରେସନ୍‌’ରେ ଭାଗ ନେବି। ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌ ଓ ଅନ୍ୟାନ୍ୟ ଫରାସୀ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ଫଳପ୍ରଦ ଆଲୋଚନା ହେବ ବୋଲି ଆଶା କରୁଛି। ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ରହିଛି ଭାରତୀୟ ସମ୍ପ୍ରଦାୟ ଓ ବିଶିଷ୍ଟ ‘ସିଇଓ’ମାନଙ୍କ ସହିତ ଭାବବିନିମୟ।

ଫ୍ରାନ୍‌ସ୍‌ ଗସ୍ତ ଶେଷ କରିବା ପରେ ଜୁଲାଇ ୧୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ‌ମୋଦୀ ଆବୁଧାବି ଗସ୍ତ କରିବାର କାର୍ଯ୍ୟକ୍ରମ ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ସେଠାରେ ସେ ଏଚ୍‌. ଏଚ୍‌. ଶେଖ୍‌ ମହମ୍ମଦ୍‌ ବିନ୍‌ ଜାୟେଦ୍‌ ଅଲ୍‌ ନାହ୍ୟାନ୍‌ଙ୍କ ସହିତ ଆଲୋଚନା କରିବେ।

ad-week
Leave A Reply

Your email address will not be published.