ଫ୍ରାନ୍‌ସ୍‌ରୁ ଅମିତ ଶାହଙ୍କୁ ଫୋନ୍‌ କରି ଦିଲ୍ଲୀ ବନ୍ୟା ପରିସ୍ଥିତି କଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଫ୍ରାନ୍‌ସ୍‌ରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଫୋନ୍‌ କରି ଦିଲ୍ଲୀର ବିଭିନ୍ନ ପ୍ରାନ୍ତରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତ ବିଷୟରେ ବୁଝାବୁଝି କରିଥିବା କଥା ଗୃହ ମନ୍ତ୍ରାଳୟ ‘ଟୁଇଟ୍‌’ରୁ ଜଣାପଡ଼ିଛି।
ଟେଲିଫୋନ୍‌ରେ ଆଳାପ ବେଳେ ଶାହ ତାଙ୍କୁ ବନ୍ୟା ପରିସ୍ଥିତି ସମ୍ବନ୍ଧରେ ସଂକ୍ଷିପ୍ତ ବର୍ଣ୍ଣନା ଦେଇ କହିଲେ ଯେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଯମୁନା ନଦୀରୁ ପାଣି କମିଯିବ ବୋଲି ଆଶା କରାଯାଉଛି।
ପୋଷ୍ଟ୍‌ କରିଥିବା ‘ଟୁଇଟ୍‌’ରେ ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, ଯମୁନା ନଦୀରେ ଜଳସ୍ତର ବୃଦ୍ଧି କାରଣରୁ ଦିଲ୍ଲୀର ବିଭିନ୍ନ ପ୍ରାନ୍ତରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀଜୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ଶାହ ତାଙ୍କୁ ସଂକ୍ଷେପରେ ସବୁ କହିବା ସହିତ ଦିଲ୍ଲୀ ଉପରାଜ୍ୟପାଳ ଓ ସେ ପରିସ୍ଥିତି ଉପରେ ଦୃଷ୍ଟି ରଖିଥିବା କଥା କହିଛନ୍ତି। ସେ ମଧ୍ୟ କହିଛନ୍ତି ଯେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଜଳସ୍ତର କମିଯିବାର ସମ୍ଭାବନା ରହିଛି।
ସେହିପରି, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ କରିବା ଲାଗି ଏବଂ ସହାୟତା ଲୋଡୁଥିବା ବ୍ୟକ୍ତିଙ୍କ ପାଇଁ ବହୁସଂଖ୍ୟକ ‘ଏନ୍‌ଡିଆର୍‌ଏଫ୍‌’ ଟିମ୍‌ ମୁତୟନ କରାଯାଇଛି ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ବାସ୍ତିଲ୍‌ ଦିବସ ଉତ୍ସବରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଗୁରୁବାରଠାରୁ ୨ ଦିନିଆ ଫ୍ରାନ୍‌ସ୍‌ ଗସ୍ତରେ ଅଛନ୍ତି।

ad-week
Leave A Reply

Your email address will not be published.