ଉଦ୍ଧବ ଠାକରେ-ଅଜିତ ପାୱାରଙ୍କ ଭେଟକୁ ନେଇ ଚର୍ଚ୍ଚା

add-all

ମୁମ୍ବାଇ : ଶିବସେନା(ୟୁବିଟି)ନେତା ଉଦ୍ଧବ ଠାକରେ ବୁଧବାର ତାଙ୍କର ପୂର୍ବତନ ସହଯୋଗୀ ତଥା ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଭେଟିଛନ୍ତି। ଏନସିପି ବିରୋଧରେ ବିଦ୍ରୋହ କରି ଅଜିତ ପାୱାର ମହାରାଷ୍ଟ୍ର ସରକାରଙ୍କୁ ସମର୍ଥନ ଦେବା ପରେ ପ୍ରଥମଥର ଉଦ୍ଧବଙ୍କ ସହ ଭେଟଘାଟ ହୋଇଛି।
ଉଦ୍ଧବ ଠାକରେ ହେଉଛନ୍ତି ମହାରାଷ୍ଟ୍ର ବିଧାନ ପରିଷଦର ସଦସ୍ୟ। ସେ ଆଜି ଗୃହ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିବା ବେଳେ ଅଜିତ ପାୱାରଙ୍କୁ ଭେଟିଛନ୍ତି। ତାଙ୍କ ସହ ତାଙ୍କ ପୁଅ ଆଦିତ୍ୟ ଠାକରେ ମଧ୍ୟ ରହିଥିଲେ। ଗତକାଲି ଉଦ୍ଧବ ଠାକରେ ବେଙ୍ଗାଲୁରୁରେ ଅନୁଷ୍ଠିତ ବିରୋଧୀଙ୍କ ବୈଠକରେ ସାମିଲ ହୋଇଥିଲେ। ଏହାର ଦିନକ ପରେ ହିଁ ସେ ଅଜିତ ପାୱାରଙ୍କୁ ଭେଟିଥିବାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଭେଟଘାଟ ସମ୍ପର୍କରେ ଉଦ୍ଧବ ଠାକରେ କହିଛନ୍ତି, “ମୁଁ ଅଜିତ ପାୱାରଙ୍କୁ ଭେଟିଲି ଓ ତାଙ୍କୁ ଶୁଭେଚ୍ଛା ଜଣାଇଛି। ମୋର ଆଶା ସେ ଲୋକଙ୍କ ପାଇଁ ଉପଯୁକ୍ତ କାମ କରିବେ। ମୁଁ ୨୦୧୯ରେ ତାଙ୍କ ସହ କାମ କରିଥିଲି। ମୁଁ ତାଙ୍କ କାମ କରିବାର ଶୈଳୀ ଜାଣିଛି।”
ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିବାର ବେଳେ ଅଜିତ ପାୱାର ତାଙ୍କ ଡେପୁଟି ଭାବେ କାମ କରୁଥିଲେ। ରାଜ୍ୟରେ ମହା ବିକାଶ ଅଘାଡି ସରକାର ରହିଥିଲା। ତେବେ ଶିବସେନାରେ ବିଦ୍ରୋହ ଯୋଗୁ ସରକାର ଭାଙ୍ଗି ଯାଇଥିଲା। ଏହାପରେ ଅଜିତ ପାୱାର ବିଧାନସଭାର ବିରୋଧୀ ଦଳ ନେତା ଭାବେ କାମ କରୁଥିଲେ।
କିନ୍ତୁ କିଛି ଦିନ ତଳେ ସେ ଏନସିପିର କିଛି ବିଧାୟକଙ୍କୁ ଧରି ବିଜେପି-ସିନ୍ଦେ ସରକାରରେ ସାମିଲ ହୋଇଛନ୍ତି। ତାଙ୍କୁ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ସହ ଅର୍ଥ ବିଭାଗ ଦାୟିତ୍ୱ ମିଳିଛି। ତେଣୁ ଆଜିର ଭେଟଘାଟ ପରେ ସେ ଲୋକମାନଙ୍କୁ ଅର୍ଥମନ୍ତ୍ରୀ ହିସାବରେ ଉପଯୁକ୍ତ ସହାୟତା ଦେବେ ବୋଲି ଉଦ୍ଧବ ଆଶା ପୋଷଣ କରିଛନ୍ତି।
ଅନ୍ୟପକ୍ଷରେ ଏପରି ଭେଟଘାଟକୁ ନେଇ ଅଜିତ ପାୱାରଙ୍କ କୌଣସି ପ୍ରକାରର ପ୍ରତିକ୍ରିୟା ମିଳିନାହିଁ। ମଙ୍ଗଳବାର ଅଜିତ ପାୱାର ଦିଲ୍ଲୀରେ ଅନୁଷ୍ଠିତ ବିଜେପି ନେତୃତ୍ୱାଧୀନ ଏନଡିଏ ବୈଠକରେ ଯୋଗ ଦେଇଥିଲେ। ଏପରି କି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଫୁଲ ପଟେଲଙ୍କ ସହ ଯାଇ ଭେଟିଥିଲେ।

ad-week
Leave A Reply

Your email address will not be published.