ରାଜଧାନୀର ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଫୁଟ୍ ପାଟ୍ରୋଲିଂ

add-all

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଲିଛି ସେଫ୍ ସିଟି ଡ୍ରାଇଭ୍ ସଙ୍ଗକୁ ମଦ୍ୟପ ଖଟିରେ ଚଢାଉ। ନାଇଟ୍ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରୁ ଲକ୍ଷ୍ନୀସାଗର ଏବଂ ମୈତ୍ରୀ ବିହାରରେ ଅଞ୍ଚଳରେ ଚାଲିଥିଲା ଫୁଟ୍ ପାଟ୍ରୋଲିଂ। ରାଜଧାନୀର ବିଭିନ୍ନ ଛକରେ ଚେକିଂ ଓ ବ୍ଲକିଂ କରାଯାଉଥିବା ବେଳେ ମଦ୍ୟପ ଖଟିମାନଙ୍କରେ ଜୋରଦାର ଚଢାଉ କରାଯାଉଛି।

ଗତକାଲି ଭୁବନେଶ୍ୱର ଡିସିପି ପ୍ରତିକ ସିଂହଙ୍କ ନେତୃତ୍ୱରେ ଏସ.ଏନ. ମୁଦୁଲୀ, ଏସିପିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଏବଂ ୨ ପ୍ଲାଟୁନ ଫେର୍ସର ମିଳିତ ଉଦ୍ୟମରେ ଲକ୍ଷ୍ନୀସାଗର ଥାନା ଅଞ୍ଚଳରୁ ଆରମ୍ଭ କରି ଜେଲ୍ ଛକ, ଗଣେଶ ମଣ୍ଡପ ଛକ, ଝାରପଡା, ସନ୍ତୋଷୀ ବିହାର ଏବଂ କେନାଲ ରୋଡ ବୁଲି ସନ୍ଦିଗ୍ଧ ସ୍ଥାନକୁ ନଜର କରିଥିଲେ।

ସେହିପରି ମୈତ୍ରୀ ବିହାର ଥାନାଅଧୀନରେ ଅତିରିକ୍ତ ଡିସିପି ପ୍ରକାଶ ପାଲଙ୍କ ନେତୃତ୍ୱରେ ଫୁଟ ପାଟ୍ରୋଲିଂ କରାଯାଇଥିଲା। ଏଥିରେ ଗୋଟିଏ ପ୍ଲାଟୁନ ଫୋର୍ସ ସାଲିଆ ସାହି, ଆଦିବାସୀ ଗାଁ, ବସ୍ତି ଅଞ୍ଚଳ, ଏକାମ୍ର ବିହାର, ମହାବୀର ନଗର, ଟ୍ରାକ୍ଟର ପଡିଆ, ବାବା ତିଲକ ନଗର, ନୀଳଚକ୍ରନଗର, ମଙ୍ଗଳ ନଗର ଆଦି ଅଞ୍ଚଳରେ ମାର୍ଚ୍ଚପାଷ୍ଟ କରିଥିଲା। ଗତକାଲି ରାତିରେ ଏହି ଚଢ଼ାଉ କରାଯାଇଥିବା ବେଳେ ୭ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି ।

ସେଫ୍ ସିଟି ଡ୍ରାଇଭ ଅଧୀନରେ ପ୍ରତିଦିନ ଏଭଳି ଚଢ଼ାଉ ଜାରି ରଖିଛି କମିଶନରେଟ ପୋଲିସର ବିଭିନ୍ନ ଥାନା ଓ ପିଓପିଡି ଟିମ। ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ। ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ଛକ ମାନଙ୍କରେ ଚେକିଂ ଓ ବ୍ଳକିଂକୁ ମଧ୍ୟ କଡାକଡି କରାଯିବ ବୋଲି ସୂଚନା ଦେଇଛନ୍ତି ଡିସିପି।

ad-week
Leave A Reply

Your email address will not be published.