ଓଡ଼ିଶା ଆସିବ ଗ୍ଲୋବାଲ କମ୍ପାନୀ ସିନପସିସ୍‌, ୩୦୦ ଚିପ୍ ଡିଜାଇନ ଇଞ୍ଜିନିୟରଙ୍କୁ ମିଳିବ ନିଯୁକ୍ତି

add-all

ଭୁବନେଶ୍ୱର: ରାଜ୍ୟ ସରକାର ସେମିକଣ୍ଡକ୍ଟର ଡିଜାଇନ କ୍ଷେତ୍ରକୁ ପ୍ରୋତ୍ସାହିତ କରିଆସୁଛନ୍ତି। ବର୍ତ୍ତମାନ ଏହି କ୍ଷେତ୍ରରେ ଆଉ ଏକ ସଫଳତା ଯୋଡି ହେବାକୁ ଯାଉଛି। ଇଲେକ୍ଟ୍ରୋନିକ୍ସ ଡିଜାଇନ ଏବଂ ଅଟୋମେସନ(ଇଡିଏ) କ୍ଷେତ୍ରରେ ଗ୍ଲୋବାଲ ଲିଡର ସିନପସିସ୍ ଭୁବନେଶ୍ୱରରେ ଏହାର ଡିଜାଇନ ସେଣ୍ଟର ସ୍ଥାପନ କରିବା ନେଇ ଲକ୍ଷ୍ୟ ରଖିଛି। ଆଗାମୀ ଦିନରେ ଏଠାରେ ୩୦୦ ଚିପ୍ ଡିଜାଇ ଇଞ୍ଜିନିୟରଙ୍କୁ ନିଯୁକ୍ତ ମିଳିବ।

ଏହାସହ ହାର୍ଡୱେର ଆନାଲିଟିକ୍ସ ଆଣ୍ଡ ଟେଷ୍ଟ, ହାର୍ଡୱେର ଡେଭଲପମେଣ୍ଟ ଗ୍ରୁପ, ଏଚଡିଜି ଡିଜାଇନ ଏବଂ ଭେରିଫିକେସନ ଭଳି କ୍ଷେତ୍ରଗୁଡିକରେ ମଧ୍ୟ ଆନୁସଙ୍ଗିକ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି। କମ୍ପାନୀର ଉତ୍ପାଦନଗୁଡିକ ମଧ୍ୟରେ ଲଜିକ ସିନ୍ଥେସିସ୍ ପାଇଁ ଟୁଲ, ଆଇସି ଡିଜାଇନ ଏବଂ ସିଲୁଲେଟର ରହିଛି। କମ୍ପାନୀର ଏହି ୟୁନିଟ ସ୍ଥାପନ ହେଲେ ଏହା ରାଜ୍ୟର ସେମିକଣ୍ଡକ୍ଟର ଇକୋସିଷ୍ଟମ କ୍ଷେତ୍ରକୁ ଆହୁରି ଦୃଢ଼ କରିବ। ସେହିପରି ଓ-ଚିପ୍ କାର୍ଯ୍ୟକ୍ରମକୁ ଆହୁରି ଦୃଢ଼ କରିବା ଦିଗରେ ସିଲିକନ ଭ୍ୟାଲିର ଶିଳ୍ପ ଲିଡର ଏବଂ ଗବେଷକଙ୍କ ସହ ଆଲୋଚନା କରିଛନ୍ତି ଆମେରିକା ଗସ୍ତରେ ଥିବା ରାଜ୍ୟ ପ୍ରତିନିଧି ମଣ୍ଡଳୀ।

କମ୍ପାନୀର ଏସ୍‌ଭିପି ଅମିତ ସଂଘାନି, ଉପସଭାପତି ଅଭିଜିତ ଚକ୍ରବର୍ତ୍ତୀଙ୍କ ସହ ସିଲିକନ ଭ୍ୟାଲି ଗସ୍ତରେ ଥିବା ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା, ଉନ୍ନୟନ କମିଶନର ଅନୁ ଗର୍ଗ, 5T ସଚିବ ଭି.କେ ପାଣ୍ଡିଆନ, ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ ମିଶ୍ର, କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା ଓ ରାଜ୍ୟସଭା ସଦସ୍ୟ ସୁଜିତ କୁମାର ପ୍ରମୁଖ ଆଲୋଚନା କରିଛନ୍ତି । ବିଶ୍ୱ ସ୍ତରୀୟ ଆଇଟି, ଇଲେକଟ୍ରୋନିକ୍ସ, ସେମିକଣ୍ଡକ୍ଟର, ଏଆଇ, ମେସିନ ଲର୍ଣ୍ଣିଂ ଭଳି କମ୍ପାନୀ ରାଜ୍ୟରେ ନିବେଶ ନେଇ ପ୍ରତିଶ୍ରୃତି ଦେଇଛନ୍ତି। ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବ ବୋଲି କମ୍ପାନୀଗୁଡିକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ଦ୍ୱାରା ରାଜ୍ୟର ନିଯୁକ୍ତି ଦୃଶ୍ୟପଟରେ ବଡ଼ ପରିବର୍ତ୍ତନ ଆଣିବ ବୋଲି ରାଜ୍ୟସରକାର ଆଶାବାଦି ଅଛନ୍ତି।

ad-week
Leave A Reply

Your email address will not be published.