ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସଇଁତଳା ଷ୍ଟେସନରେ ଦୁଇ ଘଣ୍ଟା ଅଟକି ରହିଲା ଇସ୍ପାତ ଏକ୍ସପ୍ରେସ

add-all

ଦେଓଗାଁ: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବଲାଙ୍ଗୀର ଜିଲ୍ଲା ସଇଁତଳା ଷ୍ଟେସନରେ ଦୁଇ ଘଣ୍ଟା ହେଲା ଅଟକି ରହିଥିଲା ଇସ୍ପାତ ଏକ୍ସପ୍ରେସ। ରେଳବାଇର ଟେକ୍ନିକାଲ ଟିମ୍ ତ୍ରୁଟି ସୁଧାରିବା ପାଇଁ ଚେଷ୍ଟା ଜାରି ରଖିଥିଲେ।

ସୂଚନା ଅନୁଯାୟୀ, ଆଜି ସକାଳେ ଠିକ୍ ସମୟରେ ଇସ୍ପାତ ଏକ୍ସପ୍ରେସ ଟିଟିଲାଗଡ଼ରୁ ହାୱାଡ଼ା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଏହି  ଟ୍ରେନ୍ ସକାଳ ୫ଟା ୫୦ ମିନିଟରେ ସଇଁତଳା ଷ୍ଟେସନରେ ପହଞ୍ଚିଥିଲା। ଏହି ସମୟରେ ଇସ୍ପାତ ଏକ୍ସପ୍ରେସର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଟ୍ରେନଟି ଏଯାଏ ଅଟକି ରହିଛି। ତେବେ ରେଳବାଇର ଟେକ୍ନିକାଲ ଟିମ୍‌ ତ୍ରୁଟି ସୁଧାରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହି ରିପୋର୍ଟ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ମରାମତି କାମ ଶେଷ ହୋଇନାହିଁ। ଏହି କାରଣରୁ  ଇସ୍ପାତ ଏକ୍ସପ୍ରେସରେ ଯାତ୍ରା କରୁଥିବା ଯାତ୍ରୀମାନେ ହଇରାଣ ହରକତ ହୋଇଥିବା ପରିଲକ୍ଷିତ ହୋଇଛି।

ପ୍ରକାଶ ଥାଉକି ଟିଟିଲାଗଡ ପଟରୁ ହାୱଡା ଯାଉଥିବା ହାୱଡା ଇସ୍ପାତ ଏକ୍ସପ୍ରେସ ସଇଁତଳା ଷ୍ଟେସନକୁ ୫.୪୫ରେ ପହଞ୍ଚିବାକୁ ଥିବା ବେଳେ ରବିବାର ଦିନ ୫.୫୦ରେ ପହଞ୍ଚିଥିଲା। ହେଲେ ଇଞ୍ଜିନରେ କୌଣସି ଯାନ୍ତ୍ରିକ ତ୍ରୁଟି ଥିବାରୁ ଏହି ଟ୍ରେନଟି ଦୀର୍ଘ ସମୟ ଧରି ଅଟକି ରହିଥିଲା। ସଇଁତଳା ଷ୍ଟେସନରେ ଅଟକି ରହିଥିବା ମାଲବାହୀ ଟ୍ରେନ ଇଞ୍ଜିନରେ ଇସ୍ପାତ ଏକ୍ସପ୍ରେସ୍ ୭ଟା ୫୫ରେ ସଇଁତଳା ଷ୍ଟେସନ ଛାଡ଼ିଥିବା ନେଇ ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି। ଯଦି ଟ୍ରେନ ଇଞ୍ଜିନରେ ତ୍ରୁଟି ଥିଲା ତାହେଲେ ହଜାର ହଜାର ଲୋକଙ୍କୁ ନେଇ କାହିଁକି ଟ୍ରେନଟି ଗନ୍ତବ୍ୟ ପଥକୁ ଆଗଭର ହୋଇଥିଲା ବୋଲି ଯାତ୍ରୀମାନେ ପ୍ରଶ୍ନ କରିଛନ୍ତି। ଏଣୁ ଦୋଷୀ ଅଧିକାରୀ ବିରୁଦ୍ଧ‌ରେ କାର୍ଯ୍ୟାନୁଷ୍ଠାନ ନେବାକୁ ଲୋକମାନେ ଦାବି କରିଛନ୍ତି।

ad-week
Leave A Reply

Your email address will not be published.