ରେଷ୍ଟୁରାଣ୍ଟରେ ନିଆଁ ଲଗାଇଲେ, ଜୟ ଶ୍ରୀରାମ ନାରା ଦେଲେ

add-all

ନୁହ : ହରିଆଣାର ନୁହ୍‌ ଜିଲ୍ଲାରେ ସାଂପ୍ରଦାୟିକ ସଂଘର୍ଷ ବିସ୍ଫୋରକ ରୂପ ନେଇଛି। ବିଶ୍ୱ ହିନ୍ଦୁ ପରିଷଦର ରାଲି ବେଳେ ହିଂସା ଆରମ୍ଭ ହୋଇଥିଲା। ଏହାକୁ ନେଇ ନୁହ ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ ପୋଡ଼ାଜଳା ହୋଇଛି। ଶତାଧିକ ଗାଡ଼ି ପୋଡ଼ି ପାଉଁଶ ହୋଇ ଯାଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି।
ସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଥିବାରୁ ନୁହ୍‌ରେ କର୍ଫ୍ୟୁ ଲାଗୁ କରାଯାଇଛି। ଏସବୁ ଭିତରେ ଆଜି ଗୁରୁଗ୍ରାମରେ ଏହି ସାଂପ୍ରଦାୟିକ ହିଂସାର ପ୍ରଭାବ ପଡ଼ିଛି। ଗୁରୁଗ୍ରାମର ବାଦଶାହପୁରରେ ଆଜି ଉପଦ୍ରବୀମାନେ ଏକାଧିକ ଦୋକାନ ଭାଙ୍ଗିବା ସହ ଗୋଟିଏ ନିର୍ଦ୍ଦିଷ୍ଟ ସଂପ୍ରଦାୟର ବ୍ୟକ୍ତିଙ୍କ ରେଷ୍ଟୁରାଣ୍ଟରେ ନିଆଁ ଲଗାଇ ଦେଇଛନ୍ତି। ଏଥିସହ ଉକ୍ତ ଅଞ୍ଚଳରେ ଥିବା ଗୋଟିଏ ମସଜିଦ ସାମ୍ନାରେ ଜୟ ଶ୍ରୀରାମ ନାରା ଦେଇ ଲୋକଙ୍କୁ ଭୟଭୀତ କରାଇଛନ୍ତି।
ପୋଡ଼ାଜଳା ଓ ଭଙ୍ଗା ରୁଜୁ କରୁଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୫୦ରୁ ୬୦ ରହିଥିଲା। ସମସ୍ତଙ୍କ ହାତରେ କାଠ ଫାଳିଆ ଓ ରଡ ଥିଲା। ସେମାନେ ସ୍ଥାନୀୟ ଅଞ୍ଚଳରେ ପାର୍କିଂ ହୋଇଥିବା ସମସ୍ତ ବାଇକ୍‌ଗୁଡ଼ିକୁ ମଧ୍ୟ ଧକ୍କା ମାରି ତଳେ ପକାଇ ଦେଇଛନ୍ତି। ଘଟଣା ପରେ ପୂରା ମାର୍କେଟରେ ଆତଙ୍କ ଖେଳି ଯାଇଥିଲା। ଏଥିସହ ତୁରନ୍ତ ବାଦଶାହପୁର ମାର୍କେଟକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ ମଧ୍ୟ କରି ଦିଆଯାଇଛି।
ସୋମବାର ନୁହ୍‌ରେ ଆରମ୍ଭ ହୋଇଥିବା ସାଂପ୍ରଦାୟିକ ହିଂସା ମାତ୍ର କିଛି ଘଣ୍ଟା ମଧ୍ୟରେ ଗୁରୁଗ୍ରାମ ଯାଏ ବ୍ୟାପୀ ଯାଇଛି। ନୁହ୍‌ ହିଂସାରେ ଜଣେ ଇମାମ, ଦୁଇ ଜଣ ହୋମଗାର୍ଡଙ୍କୁ ମିଶାଇ ଏଯାଏ ୫ ଜଣଙ୍କ ମୃତ୍ୟୁ ଘଟିଛି।
ଏହି ହିଂସାରେ ପ୍ରାଣ ହରାଇଥିବା ଆଉ ଦୁଇ ଜଣ ହେଲେ ୩୫ ବର୍ଷୀୟ ଶକ୍ତି ଓ ୨୪ ବର୍ଷୀୟ ଅଭିଷେକ। ଶକ୍ତି ନୁହ୍‌ରେ ଗୋଟିଏ ଦୋକାନ କରିଥିଲେ। ଅଭିଷେକ ପାନିପତର ବାସିନ୍ଦା। ସେ ଭିଏଚ୍‌ପି ଆୟୋଜନ କରିଥିବା ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ad-week
Leave A Reply

Your email address will not be published.