ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୪ ଦୁର୍ବୃତ୍ତ

add-all

ଭୁବନେଶ୍ବର: ଅଶାନ୍ତ ରାଜଧାନୀ। ଦିନ ଦି’ ପହରରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୪ ଦୁର୍ବୃତ୍ତ। ରାଜଧାନୀ ଭୁବନେଶ୍ୱର ଛାତି ଉପରେ ଘଟିଛି ଏପରି ରକ୍ତ ରଞ୍ଜିତ ଘଟଣା। ଆକ୍ରମଣ କାରଣ ଜଣାପଡ଼ିନଥିବା ବେଳେ ଚୋରି ସାମଗ୍ରୀ ଭାଗବଣ୍ଟାକୁ ନେଇ ଗଣ୍ଡଗୋଳ ହୋଇଥିବା ଚର୍ଚ୍ଚା ହେଉଛି। ଭୁବନେଶ୍ୱର କମିଶନରେଟ୍‌ ପୁଲିସ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଛି।

ଆକ୍ରମଣ ଶିକାର ହୋଇଥିବା ଯୁବକ ହେଉଛନ୍ତି ମନୋଜ ଗୌଡ଼। ଆଜି ମଧ୍ୟାହ୍ନରେ ବ୍ୟସ୍ତବହୁଳ ମାଷ୍ଟର କ୍ୟାଣ୍ଟିନରେ ଜୀବନ ବିକଳରେ ଧାଉଁଥିଲେ ମନୋଜ। ଆଉ ତାଙ୍କୁ ଗୋଡ଼ାଇଥିଲେ ୪ ଯୁବକ। ସେମାନେ ହାତରେ ଧରିଥିଲେ ଖଣ୍ଡା। ଦୌଡ଼ୁଥିବା ବେଳେ ହଠାତ ପଡ଼ିଯାଇଥିଲେ ମନୋଜ। ଆଉ ତା’ପରେ ଚୋଟ ପରେ ଚୋଟ ପକାଇଥିଲେ ୪ ଦୁର୍ବୃତ୍ତ। ଲୋକଙ୍କ ହୋ-ହଲ୍ଲା ଯୋଗୁ ୪ ଦୁର୍ବୃତ୍ତ ସେଠାରୁ ପଳାଇ ଯାଇଥିଲେ।

ଆକ୍ରମଣରେ ମନୋଜ ଗୁରୁତର ଆହତ ହୋଇଥିଲେ। ତାଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିଲା। ମାଷ୍ଟର କ୍ୟାଣ୍ଟିନ୍‌ ଫାଣ୍ଡି ପୁଲିସ୍‌ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଆକ୍ରମଣରେ ଶିକାର ହୋଇଥିବା ଯୁବକ ମନୋଜ ଗୌଡ଼ ହେଉଛନ୍ତି ଜଣେ ପେଶାଦାର ଚୋର। ସାଥୀମାନଙ୍କ ସହ ମାଷ୍ଟର କ୍ୟାଣ୍ଟିନ୍‌ ଘୂରି ବୁଲନ୍ତି। ଆଉ ଷ୍ଟେସନ୍‌କୁ ଆସୁଥିବା ଯାତ୍ରୀମାନଙ୍କଠାରୁ ମୋବାଇଲ୍‌ ଓ ବ୍ୟାଗ ଲୁଟ୍‌ କରନ୍ତି। ଆଉ ତା’ପରେ ଭାଗବଣ୍ଟା କରିନିଅନ୍ତି। ଚୋରି ସାମଗ୍ରୀକୁ ବିକି ନିଶା ସେବନ କରି ମାଷ୍ଟର କ୍ୟାଣ୍ଟିନ୍‌ ଅଞ୍ଚଳରେ ନାନା ବିଶୃଙ୍ଖଳା କରନ୍ତି। ଆଜି ମନୋଜଙ୍କୁ ଆକ୍ରମଣ କରିଥିବା ୪ ଯୁବକ ହେଉଛନ୍ତି, ତାଙ୍କର ସାଥୀ। ଚୋରି କରିଥିବା ୩ ମୋବାଇଲ୍‌ ଓ ବ୍ୟାଗ ଭାଗବଣ୍ଟାକୁ ନେଇ ଆଜିର ଗଣ୍ଡଗୋଳ ସୂତ୍ରପାତ ହୋଇଥିବା ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.