ନିଯୁକ୍ତି ପ୍ରକ୍ରିୟା ଉପରେ ଲାଗିଥିବା ରୋକ ହଟାଇଲେ ହାଇକୋର୍ଟ

add-all

high

କଟକ: ନର୍ସ, ଫାର୍ମାସିଷ୍ଟ , ପାରାମେଡିକାଲ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟା ଚୂଡ଼ାନ୍ତ ଉପରେ ପୂର୍ବରୁ ଜାରି କରାଯାଇଥିବା ଅଙ୍କୁଶ ହାଇକୋର୍ଟ ଉଠାଇ ଦେଇଛନ୍ତି। ହାଇକୋର୍ଟ ଗତ ମେ’ ୧ର ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି। କେବଳ ଆବେଦନକାରୀ ଫାର୍ମାସିଷ୍ଟଙ୍କ ପାଇଁ ନିର୍ଦ୍ଦିଷ୍ଟ ପଦବି ସଂରକ୍ଷିତ ରଖାଯିବ। ଅନ୍ୟ ପଦବିଗୁଡିକରେ ସରକାର ନିଯୁକ୍ତି ଦେଇ ପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ମୂଳ ମାମଲାର ଫଳାଫଳ ଉପରେ ଆବେଦନକାରୀଙ୍କ ପାଇଁ ସଂରକ୍ଷିତ ପଦବିର ଭବିଷ୍ୟତ ନିର୍ଭର କରିବ ବୋଲି ହାଇକୋର୍ଟ କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୭୪୮୩ ନର୍ସିଂ ଅଫିସର ଓ ୧୮୯ ଅନ୍ୟ ପାରାମେଡିକାଲ କର୍ମଚାରୀ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କୋଭିଡ ସମୟର ସ୍ବାସ୍ଥ୍ୟ ସେବା ପ୍ରଦାନ କରିଥିବା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ନ ଦେଇ ସରକାର ଏପରି ବିଜ୍ଞପ୍ତି ପ୍ରକାଶ କରିବା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମାର ଉଲ୍ଲଂଘନ ବୋଲି ଦର୍ଶାଇ କିଛି ପ୍ରାର୍ଥୀ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ବିନା ଅନୁମତିରେ ନିଯୁକ୍ତି ପ୍ରକ୍ରିୟା ଚୂଡ଼ାନ୍ତ କରାଯିବ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପକ୍ଷରେ ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶ ଦ୍ଵାରା ନିଯୁକ୍ତି ପ୍ରକ୍ରିୟା ଅଟକି ରହିଥିଲା। ଏହି ନିର୍ଦ୍ଦେଶରେ ପରିବର୍ତ୍ତନ ପାଇଁ କେତେକ ପ୍ରାର୍ଥୀ ଅନ୍ତରୀଣ ଆବେଦନ ଦାୟର କରିଥିଲେ। କିଛି ଆବେଦନକାରୀଙ୍କ ପାଇଁ ସମଗ୍ର ନିଯୁକ୍ତି ପ୍ରକ୍ରିୟା ଅଟକି ରହିବା ଉଚିତ୍ ନୁହେଁ ବୋଲି ଏହି ଆବେଦନରେ ଦର୍ଶା ଯାଇଥିଲା। ଏହି ଅନ୍ତରୀଣ ଆବେଦନର ଆଜି ରାୟ ପ୍ରକାଶ ପାଇଛି। ପ୍ରଭାବିତ ପ୍ରାର୍ଥୀଙ୍କ ତରଫରୁ ଆଇନଜୀବୀ ସତ୍ୟବ୍ରତ ମହାନ୍ତି ମାମଲା ପରିଚାଳନା କରୁଥିଲେ।


Post Views: 7

ad-week
Leave A Reply

Your email address will not be published.