ପୋଖରୀରେ ବୁଡ଼ି ପାଞ୍ଚ ବର୍ଷର ଦୁଇ ଶିଶୁଙ୍କ ମୃତ୍ୟୁ…

add-all


ବାଲିଗୁଡ଼ା: ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଗୁମିକିଆ ଗ୍ରାମ ପଞ୍ଚାୟତର ରାଣୀପଦର ଗ୍ରାମରେ । ମୃତ ଦୁଇ ଶିଶୁ ରାଣୀପଦର ଗ୍ରାମର ପିତସ ପ୍ରଧାନ ଓ ଲଳିତ ପ୍ରଧାନଙ୍କ ପାଞ୍ଚ ବର୍ଷର ଦୁଇ ଶିଶୁ ହିମାଂଶୁ ପ୍ରଧାନ ଓ ସଲଟିଜନ୍ ପ୍ରଧାନ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଶୁକ୍ରବାର ଅପରାହ୍ନରେ ରାଣୀପଦର ଗ୍ରାମର ପିତା ପ୍ରଧାନଙ୍କ ସ୍ତ୍ରୀ ଏଷ୍ଟୋରୀ ପ୍ରଧାନ ନିକଟସ୍ଥ ଚୁଆକୁ ପାଣି ଆଣିବା ପାଇଁ ଯିବା ସମୟରେ ତିନିଜଣ ଶିଶୁ ତାଙ୍କ ପଛରେ ଯାଇଥିବା ବେଳେ ଏଷ୍ଟୋରୀ ଫେରିବା ପୂର୍ବରୁ ତିନିଜଣ ଶିଶୁ ସେଠାରୁ ଆଗୁଆ ଫେରି ଆସିଥିଲେ । ଫେରିବା ବେଳେ ଦୁଇ ଶିଶୁ ହିମାଂଶୁ ଓ ସଲଟିଜନ୍ ବାଟରେ ଥିବା ଏକ ପୋଖରୀରେ ଖସି ପଡ଼ିଥିଲେ । କିଛି ସମୟ ପରେ ଅନ୍ୟ ଶିଶୁଟି ଘରକୁ ଆସି ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ପୋଖରୀ ନିକଟକୁ ଯାଇ ଉଭୟ ଶିଶୁଙ୍କୁ ଉଦ୍ଧାର କରି ପ୍ରଥମେ ବୁଡାଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ନଥିବାରୁ ପୁଣି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାରେ ଡାକ୍ତର ଉଭୟ ଶିଶୁଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଦୁଇ ଶିଶୁଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସେପଟେ ପୁଅକୁ ହରାଇ ଦୁଇ ମା’ଙ୍କ ଆଖିରୁ ଲୁହ ଶୁଖୁନି ।

ad-week
Leave A Reply

Your email address will not be published.