ମାଲକାନଗିରି, (୦୫/୦୯) : ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ସମଗ୍ର ଶିକ୍ଷା ମାଲକାନଗିରି ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଗୁରୁ ଦିବସ ୨୦୨୩ ପାଳନ କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମାନସ କୁମାର ଜେନାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଶ୍ରୀ ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ତ୍ରିନାଥ ମାଝୀ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ, ଶ୍ରୀ ପ୍ରଫୁଲ୍ଲ କୁମାର ଭୂଜବଳ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥି ମାନେ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ।
ଜିଲ୍ଲାର ସାତ ଗୋଟି ବ୍ଳକର ୨୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମାନପତ୍ର, ଉପଢୌକନ ଏବଂ ୫ ହଜାର ଟଙ୍କାର ଆର୍ଥିକ ରାଶି ପ୍ରଦାନ କରି ସମ୍ମାନୀତ କରାଯାଇଥିଲା। ସିନ୍ଧ୍ରିମାଲ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀ ମାନେ ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ। ନିଜ ବକ୍ତବ୍ୟ ରେ ସମସ୍ତ ଅତିଥି ମାନେ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ସ୍ମୃତି ଚାରଣ କରିବା ସହ ସମାଜ ଗଠନ ରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅବଦାନକୁ ପ୍ରଶଂସା କରିଥିଲେ ଏବଂ ଏହି ଧାରା ଜାରି ରଖିବା ପାଇଁ କାମନା କରିଥିଲେ। କାର୍ଯ୍ୟକ୍ରମ ପରିଶେଷରେ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ ସିନ୍ଧ୍ରିମାଲ, ସୋମନାଥପୁର ଓ କାଙ୍ଗୁରୁକୋଣ୍ଡାର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସମଗ୍ର ଶିକ୍ଷାର ସମସ୍ତ କର୍ମଚାରୀ ଆୟୋଜନ କରିଥିଲେ। ଶିକ୍ଷକ ଶ୍ରୀ ଦେବରାଜ ସେଠି ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।
