ଦାରିଙ୍ଗବାଡ଼ି,୧୦/୯, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଭ୍ରମରବାଡି ଠାରେ ସ୍କୁଲ ଅଫ ଟ୍ରାଇବାଲ ଷ୍ଟଡିଜ ଏଣ୍ଡ ଇଣ୍ଡିଜିନସ ରିସର୍ଚ ଭୁବନେଶ୍ବର ତରଫରୁ “ଜନଜାତି ଲୋକ କଥା ଓ ଲୋକ ପରମ୍ପରା’ ଶୀର୍ଷକ ଏକ-ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ମଶାଳାରେ ଗୋପବନ୍ଧୁ ଏକାଡେ଼ମୀ ଅତିରିକ୍ତ ନିର୍ଦେଶକ ଡଃ ଅଜୟ କୁମାର ନାୟକ କର୍ମଶାଳାର ଉଦ୍ଦେଶ୍ୟ ବିଷୟ ଉପସ୍ଥାପନା କରି କିଭଳି ବର୍ତ୍ତମାନର ମୁଖ୍ୟ ଶ୍ରୋତରେ ଆଦିବାସୀ ସଂସ୍କୃତି ପ୍ରଭାବିତ ହୋଇ ଧୀରେ ଧୀରେ ଲୋପ ପାଇବାକୁ ବସିଛି ଓ ଏହାର ପୁନୋରୁଦ୍ଧାର ନହେଲେ ହଜାର ହଜାର ବର୍ଷର ସଂସ୍କୃତି ଓ ପରମ୍ପରା କାଳର କରାଳ ଗର୍ଭରେ ବିଲୀନ ହୋଇଯିବାର ସମ୍ଭାବନା ବିଷୟରେ ଆଲୋକପାତ କରିଥିଲେ। ଶିବିରକୁ ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ ପରିଚାଳନା କରିଥିଲେ । ଶିବିରରେ ଭ୍ରମରବାଡ଼ି ଓ ପର୍ତ୍ତମାହା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତିଲମା ପ୍ରଧାନ ଓ ଜ୍ୟୋତିରାଜ ପ୍ରଧାନ ଜନଜାତି ଲୋକ କଥା ଓ ଲୋକ ପରମ୍ପରା ଉପରେ ଆଲୋଚନାରେ ଭାଗନେଇ କୁଇ ସଂସ୍କୃତିର ମହାନତା ଓ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ନାରିନେତ୍ରୀ ଶ୍ରୀମତୀ ନମଜିନୀ ମଲିକ ନୂତନ ପିଢୀ ନିଜ ସଂସ୍କୃତି ଠାରୁ ଦୂରେଇ ଯାଇ ବାହାରେ ଦାଦନ ଖଟିବାକୁ ଅଧିକ ପସନ୍ଦ କରୁଥିବା କଥା ତଥା ଆଦିବାସୀ ସମାଜ, କ୍ଷୁଦ୍ର ଦାନା ଶସ୍ୟ, ଯାହାକି ତାଙ୍କର ମୁଖ୍ୟ ଖାଦ୍ୟ ଥିଲା। ହେଲେ ବର୍ତ୍ତମାନ ଭାତ ମୁଖ୍ୟ ଖାଦ୍ୟ ହୋଇ ଆମ ଲୋକ କିଭଳି ବିଭିନ୍ନ ରୋଗର ଶିକାର ହେଉଛନ୍ତି ସେ ବିଷୟରେ ଆଲୋଚନା କରିଥିଲେ। ଆଦିବାସୀ ସଂସ୍କୃତି ଗବେଷକ ଡଃ ମିହିର କୁମାର ଜେନା କହିଥିଲେ ଯେ ଖାଲି କନ୍ଧମାଳ କାହିଁକି ରାଜ୍ୟର ଅନ୍ୟ ଜନଜାତି ସଂସ୍କୃତି ଧୀରେ ଧୀରେ ଲୋପ ପାଇବା କଥା ବିଭିନ୍ନ ଉଦାହରଣ ଦେଇ କହିଥିଲେ ଓ କିଭଳି ଏହାକୁ ଲୋପପାଇବା ପୂର୍ବରୁ ବିଦ୍ଧିବଦ୍ଧ ଭାବେ ଲିପିବଦ୍ଧ କରାଯାଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ । ଅବସରପ୍ରାପ୍ତ ସରକାରୀ ଅଧିକାରୀ ଶାନ୍ତନୁ କୁମାର ଦାସ ଓ ଭ୍ରମରବାଡି ପଞ୍ଚାୟତର ସରପଞ୍ଚ ଶ୍ରୀ ନରୋତ୍ତମ ପ୍ରଧାନ ଲୋପପାଇ ଯାଉଥିବା ମହନୀୟ ପରମ୍ପରାକୁ ବଞ୍ଚାଇବା ନେଇ ଉଦ୍ୟମ ହେବା ଉପରେ ଗୁରୁତ୍ବ ଦେଇଥିଲେ । ଜାଗୃତି ସମ୍ପାଦକ ପୁନରଉଧାର ପର୍ଯ୍ୟାୟ ଭ୍ରମରବାଡି ଠାରୁ ଆରମ୍ଭ ହେବାପାଇଁ ପ୍ରସ୍ତାବ ରଖିଥିଲେ ଓ ଏହି ସମନ୍ଧରେ ଆବଶ୍ୟକୀୟ ସହାୟତା କରିବା ପାଇଁ ପ୍ରତିଶ୍ରୁତି ଦେଇ ମହନୀୟ ସଂସ୍କୃତିର ବିଦ୍ଧିବଦ୍ଧ ଭାବେ ଲିପିବଦ୍ଧ କରାଯାଇପାରିବ ସେ ବିଷୟରେ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ଶେଷରେ ଆଦିବାସୀ ସଙ୍ଗୀତ ଓ ନୃତ୍ୟ ସହିତ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ରାମାକାନ୍ତ ଜେନା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
