‘ଚିଲି କଙ୍କଡ଼ା’ ପାଇଁ ୫୬,୦୦୦ ଟଙ୍କା ବିଲ୍‌ ଆସିବାରୁ ରେସ୍ତୋରାଁକୁ ପୁଲିସ ଡକାଇଲେ ମହିଳା…

add-all

kankada

ନୂଆଦିଲ୍ଲୀ: କିଛି ଦିନ ତଳେ ସାଙ୍ଗମାନଙ୍କୁ ସାଥିରେ ନେଇ ସିଙ୍ଗାପୁରସ୍ଥିତ ଏକ ରେସ୍ତୋରାଁକୁ ଖାଇବାକୁ ଯାଇଥିବା ଜଣେ ଜାପାନୀ ମହିଳା ପର୍ଯ୍ୟଟକ ‘ଭୋଜନ ବିଲ୍‌’ ଦେଖି ହତବାକ୍‌ ହୋଇ ପୁଲିସ ଡକାଇଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି, ସାମାନ୍ୟ କଙ୍କଡ଼ା ବ୍ୟଞ୍ଜନ ପାଇଁ ୬୮୦ ଡଲାର୍‌ (ଭାରତୀୟ ମୁଦ୍ରାରେ ୫୬,୫୦୩ ଟଙ୍କା) ଦେବାକୁ ପଡ଼ିବ ବୋଲି ତାଙ୍କୁ ଆଗରୁ ଠିକ୍‌ ଭାବେ ଜଣାଇ ଦିଆଯାଇ ନ ଥିବା କଥା ସେ ପୁଲିସ ନିକଟରେ ଅଭିଯୋଗ କରିଥିଲେ।

ସମ୍ବାଦପତ୍ର ‘ଏସିଆ ୱାନ୍‌’ ରିପୋର୍ଟ କରିଛି ଯେ,  ଅଗଷ୍ଟ ୧୯ ତାରିଖ ଦିନ ଜାପାନୀ ମହିଳା ଜୁନ୍‌କୋ ଶିନ୍‌ବା ‘ସିଫୁଡ୍‌ ପାରାଡାଇଜ୍’ ରେସ୍ତୋରାଁକୁ ଯାଇ ‘ଚିଲି କ୍ରାବ୍’ ପାଇଁ ବରାଦ ଦେଇଥିଲେ।

ଏ ସଂକ୍ରାନ୍ତରେ ଶିନ୍‌ବା କହିଛନ୍ତି ଯେ, ଜଣେ ‘ୱେଟର୍‌’ଙ୍କ ସୁପାରିସ ଅନୁସାରେ ସେ ‘ଆଲାସ୍କାନ୍‌ କିଙ୍ଗ୍‌ ଚିଲି କ୍ରାବ୍’ ବ୍ୟଞ୍ଜନ ପାଇଁ ବରାଦ ଦେଲେ। ଏହି ବ୍ୟଞ୍ଜନର ମୂଲ୍ୟ ୨୦ ଡଲାର୍‌ ବୋଲି ‘ୱେଟର୍‌’ଜଣକ କହିଥିଲେ। କିନ୍ତୁ, ଏହି ଦର ଯେ, ପ୍ରତି ୧୦୦ ଗ୍ରାମ୍‌ ଓଜନ ପାଇଁ ଧାର୍ଯ୍ୟ, ତାହା ସେ ବୁଝାଇ କହି ନ ଥିଲେ।

ଅର୍ଥାତ୍‌ ସେମାନେ ରାନ୍ଧିବାକୁ ଯାଉଥିବା କଙ୍କଡ଼ାଟିର ସମୁଦାୟ ଓଜନ କେତେ ବୋଲି ପ୍ରଥମରୁ ତାଙ୍କୁ ସୂଚନା ଦିଆଯାଇ ନ ଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ୪ ସାଙ୍ଗ ମିଶି ସମୁଦାୟ ୩,୫୦୦ ଗ୍ରାମ୍‌ ଓଜନରୁ ଅଧିକ ‘ଚିଲି କଙ୍କଡ଼ା’ ଖାଇବାରୁ ଦର ହେଲା ୬୮୦ ଡଲାର୍‌।

୫୦ ବର୍ଷୀୟ ଶିନ୍‌ବା କହିଛନ୍ତି, ୪ଜଣ ପ୍ରାପ୍ତବୟସ୍କଙ୍କ ‘ଡିନର୍‌’ର ଦାମ ଏତେ ହୋଇଥିବା ଜାଣି ଆମେ ହତବାକ୍‌ ହୋଇଗଲୁ। ଅନେକ ରେସ୍ତୋରାଁ କଙ୍କଡ଼ା କାଟି ସେଥିରୁ କିଛି ଅଂଶ ରାନ୍ଧନ୍ତି। କିନ୍ତୁ, ଏଠାରେ କେବଳ ଆମମାନଙ୍କ ପାଇଁ ଗୋଟିଏ କଙ୍କଡ଼ା ସମୁଦାୟ ରନ୍ଧା ହେବ ବୋଲି ଧାରଣା ନ ଥିଲା।

ଶେଷରେ ବାଧ୍ୟ ହୋଇ ଶିନ୍‌ବା  ପୁଲିସ ଡକାଇବା ଲାଗି ‘ସିଫୁଡ୍‌ ପାରାଡାଇଜ୍’କୁ କହିଲେ ଓ ପରେ ପରେ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଲେ। ରେସ୍ତୋରାଁ କର୍ମଚାରୀମାନେ ‘ଚିଲି କଙ୍କଡ଼ା’ ମୂଲ୍ୟ କଥା ‌ପୁଲିସକୁ ଜଣାଇବା ସହିତ ଅନ୍ୟ ଗ୍ରାହକମାନଙ୍କ ପାଖରୁ ସମ ପରିମାଣର ମୂଲ୍ୟ ନିଆଯାଇଥିବା କଥାର ପ୍ରମାଣ ବି ଦେଲେ।

ବହୁ ବିତର୍କ ପରେ ଦୟାପରବଶ ହୋଇ ବା ସଦିଚ୍ଛା ଦୃଷ୍ଟିରୁ ରେସ୍ତୋରାଁ ଶିନ୍‌ବାଙ୍କୁ ୭୮ ଡଲାର୍‌ (୬,୪୭୯ ଟଙ୍କା) ରିହାତି ଦେବାକୁ ରାଜି ହୋଇଥିଲେ।

ad-week
Leave A Reply

Your email address will not be published.