ବିଜେଡି ନେତାଙ୍କୁ ହତ୍ୟା…

add-all

IMAGE_1695992653

ବ୍ରହ୍ମପୁର : ରକ୍ତ ରଞ୍ଜିତ ହୋଇଛି ଗଞ୍ଜାମର ମାଟି। ରାଜନୈତିକ ହିଂସାରୁ ଗଡୁଛି ମୁଣ୍ଡ! ଆଜି ଅତି ବୀଭତ୍ସ ଭାବେ ଜଣେ ଯୁବ ବିଜେଡି ନେତାଙ୍କୁ ହତ୍ୟା କରାଯାଇଛି। ପାଖ ଗାଁରୁ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଯୁବ ନେତାଙ୍କୁ କେତେକ ଦୁର୍ବୃତ୍ତ ଭୁଜାଲିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ଖୋଳତାଡ କରୁଛି ପୁଲିସ୍‌।
ଧରାକୋଟ ଥାନା ବରିଗୁଡାର ବିଜେଡି ଯୁବ ନେତା ଅନୀଲ ମାହାନ୍ତି ଆଜି ସକାଳେ ନିଜ ସ୍କୁଟିରେ ପଡ଼ୋଶୀ ଗାଁ ଉଖୁଡ଼ାପଟାକୁ ଯାଇଥିଲେ। ସେଠାରେ ପୋଖରୀରେ ମାଛ ଯାଆଁଳ ଛାଡିବା ସମ୍ପର୍କରେ ଆଲୋଚନା କରି ଫେରୁଥିଲେ। ଅନୀଲ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଗାଁଠାରୁ ଅଳ୍ପ ଦୂରରେ ଏକ ନିଛାଟିଆ ସ୍ଥାନରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। କେତେକ ଦୁର୍ବୃତ୍ତ ତାଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଚର୍ଚ୍ଚା ହେଉଛି। ଭୁଜାଲିରେ ତାଙ୍କ ପେଟକୁ ଭସିଥିବା ଦେଖିବାକୁ ମିଳିଛି। ଏପରିକି ତାଙ୍କ ବେକ ଓ ଶରୀର ଅନ୍ୟ ସ୍ଥାନରେ ମଧ୍ୟ ଗଭୀର କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ରାସ୍ତାରେ ସ୍କୁଟି ଓ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏହି ଖବର ପ୍ରକାଶ ପାଇବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଦାନୀ କୁକୁର ସହ ଗାଁରେ ପହଞ୍ଚିଥିଲେ ଧରାକୋଟ ଥାନା ପୁଲିସ ଏବଂ ଆସିକା ଉପଖଣ୍ଡ ପୁଲିସ ଅଧିକାରୀ। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ସେପରେ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ପ୍ରମୁଖ ଗାଁରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
ଅନୀଲ୍‌ଙ୍କୁ କିଏ ଓ କାହିଁକି ହତ୍ୟା କଲା? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ସେପଟେ ପରିବାର ଲୋକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ରାଜନୈତିକ ଶତ୍ରୁତାରୁ ଅନୀଲଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କହିଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ଅନୀଲଙ୍କ ନେତୃତ୍ୱ ଓ ରଣକୌଶଳ ଯୋଗୁ ବିଜେଡି ବିଜୟବାନା ଉଡାଇ ପାରିଥିଲା। ସେହି କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.