ଆସୁଛି ଏୟାର ଇଣ୍ଡିଆ କର୍ମଚାରୀଙ୍କ ନୂଆ ୟୁନିଫର୍ମ; ଡିଜାଇନ କରିବେ ମନୀଷ ମଲହୋତ୍ରା…

Independence

airindia

ନୂଆଦିଲ୍ଲୀ :ବଲିଉଡର ସେଲିବ୍ରିଟି ଡିଜାଇନର ମନୀଷ ମଲହୋତ୍ରା ଡିଜାଇନ କରିବେ ଏୟାର ଇଣ୍ଡିଆ କର୍ମଚାରୀଙ୍କ ୟୁନିଫର୍ମ। ମନୀଷଙ୍କ ଦ୍ୱାରା ଡିଜାଇନ ହୋଇଥିବା ୟୁନିଫର୍ମ ପିନ୍ଧିବେ ଏୟାର ଇଣ୍ଡିଆର ୧୦ ହଜାର କର୍ମଚାରୀ। ଏୟାର ଇଣ୍ଡିଆ ନିଜ ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏ ସମ୍ପର୍କରେ ଘୋଷଣା କରି ସାରିଛି।
ଏୟାର ଇଣ୍ଡିଆ ନିଜ ପୋଷ୍ଟରେ ଲେଖିଛି ଯେ, ପ୍ରସିଦ୍ଧ ଫ୍ୟାଶନ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ସହିତ ଆମର ସହଭାଗିତା ଘୋଷଣା କରିବା ଖୁବ୍‌ ଆନନ୍ଦଦାୟକ। ମନୀଷ ମଲହୋତ୍ରା ଆମର କ୍ୟାବିନ କ୍ରୁ, ପାଇଲଟ ଏବଂ ଅନ୍ୟ ଫ୍ରଣ୍ଟଲାଇନ ସହକର୍ମୀମାନଙ୍କ ପାଇଁ ନୂଆ ୟୁନିଫର୍ମ ଡିଜାଇନ୍ କରିବାକୁ ଯାଉଛନ୍ତି। ଆମେ ମନୀଷ ମଲହୋତ୍ରାଙ୍କ ସହ ମିଶି ଆମର ସହକର୍ମୀମାନଙ୍କ ପାଇଁ ଏକ ଚମତ୍କାର ନୂଆ ଲୁକ୍ ସୃଷ୍ଟି କରିବା ପାଇଁ କାର୍ଯ୍ୟ କରୁଛୁ । ଏହାର ରେଜଲ୍ଟ ଖୁବ୍‌ ରୋମାଞ୍ଚପୂର୍ଣ୍ଣ ହେବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।
ମନୀଷ ମଲହୋତ୍ରା ନିଜ ଟିମ୍‌ ସହ ଏୟାର ଇଣ୍ଡିଆର ଫ୍ରଣ୍ଟଲାଇନ୍‌ ଷ୍ଟାଫ୍‌ଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସମୟରେ ସେ ସେମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି।
ଚଳିତ ବର୍ଷ ଶେଷ ସୁଦ୍ଧା ନିଜ କର୍ମଚାରୀଙ୍କୁ ଏୟାର ଇଣ୍ଡିଆ ନୂଆ ୟୁନିଫର୍ମରେ ଆଣିବ ବୋଲି ଆଶା ରଖିଛି । ନିଜ ବ୍ରାଣ୍ଡ, ତଥା ସଂସ୍କୃତିକୁ ଅଧିକ ପ୍ରସ୍ପୁଟିତ କରିବାକୁ ଆମେ ମନୀଷ ମଲହୋତ୍ରାଙ୍କ ସହ କାମ କରିବାକୁ ଖୁବ୍‌ ଆଗ୍ରହୀ ଥିବା ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।
ମନୀଷ ମଲହୋତ୍ରା ମଧ୍ୟ ଏପରି ଅଫର ପାଇ ବେଶ୍‌ ଖୁସି ଓ ଉତ୍ସାହିତ ଅଛନ୍ତି। ଏୟାର ଇଣ୍ଡିଆ ସହ ମିଳିତ ଭାବେ କାମ କରିବା ଅତ୍ୟନ୍ତ ସମ୍ମାନର ବିଷୟ ବୋଲି ସେ କହିଛନ୍ତି। ଏୟାର ଇଣ୍ଡିଆ କର୍ମଚାରୀଙ୍କ ୟୁନିଫର୍ମକୁ ଆଧୁନିକ ଲୁକ୍‌ ଦେବା ସହ ଆରାମଦାୟକ କରିବାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ମନୀଷ ମଲହୋତ୍ରା। ଏଥିସହ ସେ କହିଛନ୍ତି, ଆମର ମାନସିକତା ଖୁବ୍‌ ସରଳ କିନ୍ତୁ ପ୍ରଭାବଶାଳୀ। ପୁରୁଣାକୁ ନ ଭୁଲି ଆମେ ନୂଆକୁ ବିକଶିତ କରିବାକୁ ଗୁରୁତ୍ୱ ଦେବୁ । ପରମ୍ପରା ସହ ଆଧୁନିକତାର ଛୁଙ୍କ ଦେବୁ, ଯାହାକି ଆରାମଦାୟକ ହେବା ସହ ସୁନ୍ଦର ମଧ୍ୟ ହେବ ।
ଏୟାର ଇଣ୍ଡିଆ ଏହାର କର୍ମଚାରୀଙ୍କ ୟୁନିଫର୍ମ ବଦଳାଇବାକୁ ଯାଉଛି ବୋଲି ଗତ ୨୫ ତାରିଖରେ ସୂଚନା ମିଳିଥିଲା। ଏୟାର ଇଣ୍ଡିଆରେ ମହିଳା ଏୟାର ହୋଷ୍ଟେଜମାନେ ପ୍ରାୟ ୬୦ ବର୍ଷ ଧରି ଶାଢ଼ୀ ପିନ୍ଧି ଆସୁଥିବା ବେଳେ ପୁରୁଷ କ୍ୟାବିନ୍ କ୍ରୁ ସୁଟ୍ ପିନ୍ଧନ୍ତି। ବର୍ତ୍ତମାନ ଏଥିରେ ଏକ ପରିବର୍ତ୍ତନ ଦେଖାଯିବ ଏବଂ ବିମାନଗୁଡ଼ିକ ଫ୍ୟାଶନ ସହିତ ଉଡ଼ିବ।
ଖବର ଅନୁଯାୟୀ, ମହିଳା କର୍ମଚାରୀଙ୍କ ପାଇଁ ହେବାକୁ ଥିବା ୟୁନିଫର୍ମରେ ଦେଶର ସଂସ୍କୃତି ସହ ଇଣ୍ଡୋ-ୱେଷ୍ଟର୍ଣ୍ଣ ଝଲକ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି । ତେବେ ନୂଆ ୟୁନିଫର୍ମରେ ଶାଢିକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ନାହିଁ। ୟୁନିଫର୍ମରେ ଡିପ୍‌ ରେଡ, ବାଇଗଣୀ ଓ ଗୋଲଡେନ୍‌ ରଙ୍ଗର ବ୍ୟବହାର ହୋଇପାରେ ବୋଲି ଶୁଣିବାକୁ ମିଳିଛି ।

ad-week
Leave A Reply

Your email address will not be published.