ସିଂହଦ୍ବାରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ଅନାଦର…

add-all

zsa

ପୁରୀ: ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ପ୍ରତି ବାରମ୍ବାର ଅନାଦର ଦେଖିବାକୁ ମିଳିଛି। କିଛି ଦିନ ତଳେ ମୁଖ୍ୟ ଚିକିତ୍ସାଳୟ ପ୍ରବେଶ ପଥରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଓ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପକୁ ଭାଙ୍ଗି ଦିଆଯିବା ପରେ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏବେ ଶ୍ରୀମନ୍ଦିର ସିଂହଦ୍ବାରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ବସିଥିବା ସ୍ଥାନରୁ ପାହାଚକୁ ଭାଙ୍ଗି ଦିଆଯାଇଛି। ଫଳରେ ଏହା ଅତ୍ୟନ୍ତ ବିକୃତ ଦେଖାଯାଉଛି। ଉତ୍କଳମଣି ଗୋପବନ୍ଧୁ ଦାଶ ଓଡ଼ିଶାର ପରିଚୟ। ତାଙ୍କ ସଂଗ୍ରାମୀ ଓ ପରୋପକାରୀ ମନୋଭାବ ଆଜି ବି ଯୁବ ପିଢ଼ିଙ୍କୁ ଅନୁପ୍ରାଣୀତ କରୁଛି। ପୁରୀ ଜିଲ୍ଲା ମାଟିରେ ଏହି ମହାପୁରୁଷଙ୍କୁ ନିଜ ମାଟିରେ ଏଭଳି ଅସମ୍ମାନକୁ ବୁଦ୍ଧିଜୀବୀମାନେ ସହଜରେ ଗ୍ରହଣ କରିପାରୁନାହାଁନ୍ତି। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବି ଏହାକୁ ତୀବ୍ର ସମାଲୋଚନା କରାଯାଇଛି।
୧୯୩୪ ମସିହାରେ ମହାତ୍ମାଗାନ୍ଧୀ ଶ୍ରୀମନ୍ଦିର ସିଂହଦ୍ବାରରେ ଗୋପବନ୍ଧୁଙ୍କ ମୂର୍ତ୍ତି ସ୍ଥାପନ କରିଥିଲେ। ସେବେଠୁ ସିଂହଦ୍ବାରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ପୂଜିତ ହୋଇ ଆସୁଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବେଳେ ବି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ହଟାଇ ନିଆଯାଇଥିଲା। ଏହାକୁ ନେଇ ବିରୋଧ ହେବାରୁ ଶେଷରେ ପୁନର୍ବାର ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସିଂହଦ୍ବାରରେ ସ୍ଥାପନ କରାଗଲା। ପୂର୍ବାପେକ୍ଷା ଆହୁରି ସୌନ୍ଦର୍ଯ୍ୟୀକରଣ କାମ କରାଗଲା। ଲୁହାର ସେଡ୍‌ ତିଆରି ହେଲା। ପ୍ରତିଦିନ ମାଳ, ପୁଷ୍ପ ଆଦି ଅର୍ପଣ ପାଇଁ ପାହାଚ ନିର୍ମାଣ କରାଗଲା। ରାଷ୍ଟ୍ରପତି ଦୌପଦୀ ମୁର୍ମୁ ବି ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବା ପୂର୍ବରୁ ପ୍ରଥମେ ସିଂହଦ୍ବାର ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। କିନ୍ତୁ ଗତ ୨୬ ତାରିଖରେ ହଠାତ୍‌ ପ୍ରତିମୂର୍ତ୍ତି ଚାରିପଟେ ଧଳା କପଡ଼ା ଘୋଡ଼ାଇ ଦିଆଯାଇଥିଲା। ସାମାଜିକ ଗଣମାଧ୍ୟମରେ ସମାଲୋଚନା ହେବା ପରେ ଏହି ଧଳା କପଡ଼ା ହଟାଇ ଦିଆଯାଇଥିଲା। କିନ୍ତୁ ଗତକାଲି ବିଳମ୍ବିତ ରାତିରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ବସିଥିବା ସ୍ଥାନରେ ଯେଉଁ ପାହାଚ ସବୁ ଥିଲା, ତାକୁ ଭାଙ୍ଗି ଦିଆଯାଇଛି। ଫଳରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟକୁ ଯାଇହେଉନି କି ମାଲ୍ୟାର୍ପଣ କରି ହେଉନି। ଶ୍ରୀମନ୍ଦିର ପ୍ରଶାସନ କି ଜିଲ୍ଲା ପ୍ରଶାସନ ଏ ନେଇ ମୁହଁ ଖୋଲିନାହିଁ।

ad-week
Leave A Reply

Your email address will not be published.