ଜୀବିକା ହରାଉଛନ୍ତି କୁମ୍ଭାର ପରିବାର : ମାଟି ଶାଳଘର ପୁନଃଉଦ୍ଧାର ପାଇଁ ଗଙ୍ଗାପୁର କୁମ୍ଭାରକୁଳର ନିବେଦନ

add-all

ଛତ୍ରପୁର : ଯେକୌଣସି ଶୁଭ କାର୍ଯ୍ୟ ବିବାହ, ବ୍ରତ, ପ୍ରତିଷ୍ଠା, ହୋମ ଯଜ୍ଞ ଆଦିରେ ମାଟିରେ ନିର୍ମିତ ଦୀପ, ସରା ଓ କଳସ ବ୍ୟବହୃତ ହୋଇଥାଏ। ପୂର୍ବରୁ ଘରେ ଘରେ ମାଟି ନିର୍ମିତ ଗ୍ଲାସ୍, ମାଠିଆ, ରୋଷେଇ ପାଇଁ ବିଭିନ୍ନ ପ୍ରକାରର ମାଟି ପାତ୍ର ଆଦି ବହୁଳ ମାତ୍ରରେ ବ୍ୟବହାର କରୁଥିଲେ। ଏବେ ବି ଗ୍ରାମାଞ୍ଚଳରେ କିଛି କିଛି ଘରେ କାଁ ଭାଁ ବ୍ୟବହାର କରୁଥିବାର ଦେଖିବାକୁ ମିଳୁଛି। ମାଟି ହାଣ୍ଡି ରୋଷେଇର ଅନେକ ମହତ୍ତ୍ୱ ରହିଛି। ମାଟି ହାଣ୍ଡିରେ ପ୍ରସ୍ତୁତ ରୋଷେଇ ସୁ ସ୍ବାଦିଷ୍ଟ ବୋଲି ସମସ୍ତେ କହନ୍ତି। ପୁରୀ ଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦ ମାଟି ହାଣ୍ଡିରେ ପ୍ରସ୍ତୁତ ଯାହା ସାରା ପୃଥିବୀ ପ୍ରସିଦ୍ଧ। ଛତ୍ରପୁର ବ୍ଲକର ଗଙ୍ଗାପୁରର ଗ୍ରାମରେ ୨୦୦ ରୁ ଉର୍ଦ୍ଧ ପରିବାରର କୌଳିକ ବୃତ୍ତି ଥିଲା ମାଟି ପାତ୍ର ତିଆରି କରି ବିକ୍ରୀ କରୁଥିଲେ। କାଳକ୍ରମେ ପ୍ରାୟ ପରିବାର ଧିରେଧିରେ କୌଳିକ ବୃତ୍ତିରୁ ଦୁରେଇ ଯାଇ ବାହାର ରାଜ୍ୟ କୁ ଦାଦାନ ପାଇଁ ଯାଉଛନ୍ତି। ଏବେ କେବଳ ପ୍ରାୟ ୪୦ ପରିବାର ଏହି ବୃତ୍ତି କରି ନିଜ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି, କିନ୍ତୁ ନିଜ ପିଲାମାନଙ୍କର ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି ସେମାନେ। ଏଥି ମଧ୍ୟରେ ୧୯୯୧ ମସିହାରେ କୁମ୍ଭାର ମାନକ ସାମଗ୍ରୀ ତିଆରି ପାଇଁ ଏକ କୁମ୍ଭାର ଶାଳ ବା ମାଟି ହାଣ୍ଡି ତିଆରି ଶାଳ ହୋଇଥିଲା । ପରେ ପରେ ୧୯୯୯ ବାତ୍ୟା ଓ ଫାଇଲିନ, ହୁଡୁହୁଡୁ ଭଳି ବାତ୍ୟା ଆସି କୁମ୍ଭାର ଶାଳ ଭାଙ୍ଗି ଯାଇଛି । ଏଣୁ କୁମ୍ଭାର ମାନଙ୍କୁ ସାମଗ୍ରୀ ତିଆରି କରିବା ଓ ସେଗୁଡ଼ାକ ରକ୍ଷଣା ବେକ୍ଷଣ କରିବା ପାଇଁ ସ୍ଥାନ ନଥିବାରୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ଯଦି ସରକାର ଉତ୍ସାହିତ କରି ଏମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରନ୍ତି ତେବେ ଏହି କୌଳିକ ବୃତ୍ତିରୁ ମୁହଁ ଫେରାଇ ଥିବା ପରିବାର ପୁଣି ଏହି ବୃତ୍ତି କୁ ଆପଣାଇବେ ଏବଂ ଏହି କୌଳିକ ବୃତ୍ତି ଜୀବିତ ରହିବ ବୋଲି କୁମ୍ଭାର ପରିବାରମାନେ କହିଛନ୍ତି।

ad-week
Leave A Reply

Your email address will not be published.