ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ତରଫରୁ ଦକ୍ଷିଣ ଓଡ଼ିଶାରେ ସୌର ଶକ୍ତିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଲୋକଙ୍କୁ ସଚେତନ କରିବା ଏବଂ ‘ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’କୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ‘ସୋଲାର ରଥ’ର ଶୁଭାରମ୍ଭ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ କାର୍ଯ୍ୟାଳୟରୁ ଏହି ସୋଲାର ରଥର ଶୁଭାରମ୍ଭ ହୋଇଛି ।
ଶ୍ରୀ କୀର୍ତ୍ତି ଭାସନ୍ ଭି., ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଆଇଏଏସ୍ ଏବଂ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ ମିଳିତ ଭାବେ ସୋଲାର ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ବରିଷ୍ଠ ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।
ଟିପିଏସ୍ଓଡିଏଲ୍ ଏହାର କାର୍ଯ୍ୟକ୍ଷେତ୍ରରେ ଛାତ ଉପରେ ସୋଲାର ପ୍ୟାନେଲ୍ ଲଗାଇବାକୁ ନିରନ୍ତର ଭାବେ ପ୍ରୋତ୍ସାହିତ କରୁଛି। ଦକ୍ଷିଣ ଓଡ଼ିଶାରେ ଏବେ ସୁଦ୍ଧା ପ୍ରାୟ ୩୩,୦୦୦ ସୌର ପ୍ୟାନେଲ ସ୍ଥାପନ ହୋଇଛି । ଏହି କ୍ରମରେ ଗଞ୍ଜାମ ଜିଲ୍ଲାରେ ଏବେ ସୁଦ୍ଧା ୨୦,୬୬୫ ସୌର ପ୍ୟାନେଲ ସ୍ଥାପନ ହେବା ସହିତ ସାରା ରାଜ୍ୟରେ ଗଞ୍ଜାମ ଜିଲ୍ଲା ଏକ ଅଗ୍ରଣୀ ଜିଲ୍ଲା ଭାବେ ଉଭା ହୋଇଛି । ଛାତ ଉପରେ ସୋଲାର ପ୍ୟାନେଲ୍ ସ୍ଥାପନ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ପାଇଁ ଟିପିଏସ୍ଓଡିଏଲ୍ ପୂର୍ବରୁ ଘରକୁ ଘର ବୁଲି ସଚେତନତା ଅଭିଯାନ, ଗ୍ରାମ ପଞ୍ଚାୟତ ବୈଠକ, ବ୍ଲକ୍ ସ୍ତରୀୟ କାର୍ଯ୍ୟକ୍ରମ, ଷ୍ଟଲ୍ ଏବଂ ବିକାଶ ମେଳାରେ ଅଂଶଗ୍ରହଣ ଭଳି ବିଭିନ୍ନ ପଦକ୍ଷେପ ନେଇଛି।
‘ସୋଲାର ରଥ’ ମାଧ୍ୟମରେ ଅଡିଓ ଜିଙ୍ଗଲ୍, ସୂଚନାପତ୍ର ଏବଂ ଅନ୍ୟାନ୍ୟ ସଚେତନତା ସାମଗ୍ରୀ ଜରିଆରେ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଛାତ ଉପରେ ସୋଲାର ପ୍ୟାନେଲ୍ ଲଗାଇବାର ଲାଭ, ଯୋଗ୍ୟତା, ଆବେଦନ ପ୍ରକ୍ରିୟା, ସରକାରୀ ସବସିଡି ଏବଂ ଉପଲବ୍ଧ ଆର୍ଥିକ ସହାୟତା ସମ୍ପର୍କରେ ଲୋକଙ୍କୁ ସୂଚନା ଦିଆଯିବ। ଏଥିସହିତ ଗ୍ରାହକଙ୍କ ସହ ସିଧାସଳଖ ଆଲୋଚନା ମଧ୍ୟ ହେବ ।
ଏ ସମ୍ପର୍କରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ କହିଛନ୍ତି; “ସୋଲାର ରଥ ମାଧ୍ୟମରେ ଛାତ ଉପରେ ସୋଲାର ପ୍ୟାନେଲ୍ ଲଗାଇବା ସମ୍ପର୍କରେ ସୂଚନା ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚାଇବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା’ ସମ୍ପର୍କିତ ସୂଚନାକୁ ସରଳ ଭାବେ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ଏବଂ ଏ ସମ୍ପର୍କିତ ସୂଚନା ଉପଲବ୍ଧ କରାଇବା ଆମର ମୁଖ୍ୟ ଲକ୍ଷ୍ୟ। ଗଞ୍ଜାମ ଜିଲ୍ଲା ପ୍ରଶାସନର ନିରନ୍ତର ସହଯୋଗରେ ଆମେ ଅଧିକ ସଂଖ୍ୟକ ଘର ପାଖରେ ପହଞ୍ଚିବାକୁ ଚାହୁଁଛୁ, ବିଶେଷକରି ଗ୍ରାମାଞ୍ଚଳ ଓ ସହର ନିକଟବର୍ତ୍ତୀ ଅଞ୍ଚଳରେ। ଏହା ଦ୍ୱାରା ଗ୍ରାହକମାନେ ଛାତ ଉପରେ ସୋଲାର ପ୍ୟାନେଲ୍ ଲଗାଇବାର ଲାଭ ବୁଝିବା ସହ ଏହାର ସୁବିଧା ନେଇପାରିବେ। ସୋଲାର ରଥ ଦକ୍ଷିଣ ଓଡ଼ିଶାର ସମସ୍ତ ୮ଟି ଜିଲ୍ଲା ପରିକ୍ରମା କରିବା ସମୟରେ ଅଧିକ ଲୋକଙ୍କ ମଧ୍ୟରେ ସ୍ୱଚ୍ଛ ଶକ୍ତି ବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି ହେବା ସହ ଅଧିକ ଲୋକ ଏଥିରେ ସାମିଲ ହେବେ ବୋଲି ଆମେ ଆଶା କରୁଛୁ।”
ଏହି ସଚେତନତା ଅଭିଯାନ ଦକ୍ଷିଣ ଓଡ଼ିଶାର ସମସ୍ତ ୮ଟି ଜିଲ୍ଲା—ଗଞ୍ଜାମ, ଗଜପତି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ—ପରିକ୍ରମା କରିବ। ସୋଲାର ରଥ ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳ, ଗ୍ରାମ ପଞ୍ଚାୟତ, ଗାଁ, ସ୍ଥାନୀୟ ହାଟ, ବଜାର ଏବଂ ବିଭିନ୍ନ ଜନସମାଗମ ସ୍ଥଳକୁ ଯାଇ ଛାତ ଉପରେ ସୋଲାର ପ୍ୟାନେଲ୍ ଲଗାଇବା ସମ୍ପର୍କରେ ସୂଚନା ପହଞ୍ଚାଇବ। ଏହା ସହିତ ସହର ଓ ସହର ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ଏହି ସଚେତନତା ଅଭିଯାନ କରାଯିବ। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଗ୍ରାହକଙ୍କ ନିକଟରେ ଆବଶ୍ୟକ ସୂଚନା ପହଞ୍ଚାଇବା ଏବଂ ଅଧିକ ସଂଖ୍ୟକ ପରିବାରଙ୍କୁ ଛାତ ଉପରେ ସୋଲାର ପ୍ୟାନେଲ୍ ଲଗାଇ ଏହାର ଲାଭ ନେବା ପାଇଁ ଉତ୍ସାହିତ କରିବା।
